ଶବ୍ଦରେ ସମୟର ସ୍ପନ୍ଦନ ସଦାକାଳେ ଲିପିବଦ୍ଧ
ସୁନ୍ଦରଗଡ଼ (ପ୍ରତିଫଳନ ମିଡ଼ିଆ )
ମଣିଷ, ସମ୍ପର୍କ ଓ ସମୟ ନିରବରେ ପରିବର୍ତ୍ତନଶୀଳ । ଅଥଚ ମଣିଷ ଓ ମଣିଷ ଭିତର ଭାବ ଚିର ଜୀବନ୍ତ ହେତୁ ସମୟର ସ୍ପନ୍ଦନରେ ସବୁ ସମ୍ପର୍କ ଲିପିବଦ୍ଧ ହୁଏ ବୋଲି ଵକ୍ତାମାନେ ମତ ବ୍ୟକ୍ତ କରିଛନ୍ତି। ସ୍ଥାନୀୟ ବୀରମିତ୍ର କ୍ଲବ ପରିସରରେ ଅରଣ୍ୟା, ସୁନ୍ଦରଗଡ଼ ପକ୍ଷରୁ ଆୟୋଜିତ ଏକ ସାହିତ୍ୟିକ ସମାବେଶରେ ବିଶିଷ୍ଟ ଗାଳ୍ପିକ ଶିବାଶିଷ ପାଢ଼ୀଙ୍କ ଷଷ୍ଠ ଗଳ୍ପ ସଙ୍କଳନ ‘ବଦଳୁଥିବା ମଣିଷ’ ଲୋକାର୍ପିତ ହୋଇଯାଇଛି।
ସାହିତ୍ୟପ୍ରେମୀ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସଭାରେ ପୁସ୍ତକ ଉନ୍ମୋଚନ ସହିତ ମଣିଷ ଜୀବନର ଅନ୍ତର୍ନିହିତ ସତ୍ୟ ଓ ସମାଜର ବଦଳୁଥିବା ଚିତ୍ରକୁ ନେଇ ଏକ ଗଭୀର ସାହିତ୍ୟିକ ଆଲୋଚନାର ରୂପ ନେଇଥିଲା।

ସଭାକୁ ଉଦ୍ଘାଟନ କରି ବରିଷ୍ଠ ଗାଳ୍ପିକ ରାଜକିଶୋର ଷଡ଼ଙ୍ଗୀ କହିଥିଲେ ଯେ, ସାହିତ୍ୟ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ମଣିଷର ଚିନ୍ତା, ଚେତନା ଓ ଜୀବନବୋଧକୁ ଗଢ଼ି ତୋଳିବାର ଏକ ଶକ୍ତିଶାଳୀ ସାଧନ। ନୂତନ ପିଢ଼ି ସୃଜନଶୀଳ ସାହିତ୍ୟ ଚର୍ଚ୍ଚା ଦିଗରେ ଆଗେଇ ଆସିବା ସମୟର ଆବଶ୍ୟକତା ବୋଲି ସେ ମତ ପ୍ରକାଶ କରିଥିଲେ।
ଅବସରପ୍ରାପ୍ତ ଅଧ୍ୟାପିକା ମିନତି ମିଶ୍ର, ଅଧ୍ୟାପକ ଗଣେଶ ତ୍ରିପାଠୀ ଏବଂ ଯୁବ ଅଧ୍ୟାପକ ଫିରୋଜ ପଟେଲ ପୁସ୍ତକର ସମୀକ୍ଷାପୂର୍ବକ ଅଭିମାନ ପ୍ରକାଶନ, ପୁରୀ ପକ୍ଷରୁ ପ୍ରକାଶିତ ଏହି ଗ୍ରନ୍ଥରେ ସମୟର ସ୍ରୋତରେ ବଦଳୁଥିବା ମାନବୀୟ ସମ୍ପର୍କ, ସାମାଜିକ ମୂଲ୍ୟବୋଧର ସଙ୍କଟ, ମଣିଷର ଅନ୍ତର୍ଦ୍ୱନ୍ଦ୍ୱ ଓ ଜୀବନର ବିଭିନ୍ନ ଅନୁଭୂତିକୁ ସଂବେଦନଶୀଳ ଭାବେ ଚିତ୍ରଣ କରାଯାଇଛି ବୋଲି ମତ ପ୍ରକାଶ କରିଥିଲେ।ପ୍ରତ୍ୟେକ ଗଳ୍ପ ପାଠକଙ୍କୁ ଭାବିବାକୁ ବାଧ୍ୟ କରିବା ସହ ସମାଜ ପାଇଁ ଏକ ସକାରାତ୍ମକ ସନ୍ଦେଶ ବହନ କରୁଛି ବୋଲି ସେମାନେ ମତ ଦେଇଥିଲେ।
ଶିକ୍ଷାବିତ୍ ପିଣ୍ଟୁ ଦତ୍ତ, ଅଧ୍ୟାପିକା ମନ୍ଦାକିନୀ ଶତପଥୀ ଏବଂ ସହକାରୀ ପ୍ରାଧ୍ୟାପକ ନୂତନ ଖମାରୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଶିବାଶିଷ ପାଢ଼ୀ ଦୀର୍ଘଦିନ ଧରି ସାଧାରଣ ମଣିଷର ସୁଖ-ଦୁଃଖ, ଆଶା-ନିରାଶା ଓ ଜୀବନ ସଂଘର୍ଷକୁ ତାଙ୍କ ଗଳ୍ପର ମୂଳ ବିଷୟ କରିଆସୁଛନ୍ତି। ‘ବଦଳୁଥିବା ମଣିଷ’ ସେହି ସୃଜନଧାରାର ଆଉ ଏକ ସଶକ୍ତ ଅଧ୍ୟାୟ, ଯାହା ପାଠକଙ୍କ ହୃଦୟକୁ ସ୍ପର୍ଶ କରିବ।
ଲେଖକ ଶିବାଶିଷ ପାଢ଼ୀ ନିଜ ଅନୁଭବ ବ୍ୟକ୍ତ କରି ଏହି ପୁସ୍ତକର ପ୍ରତ୍ୟେକ ଗଳ୍ପ ଆମ ଚାରିପାଖରେ ଥିବା ଜୀବନରୁ ଜନ୍ମ ନେଇଛି। ସମୟର ପ୍ରଭାବରେ ମଣିଷ ଓ ସମ୍ପର୍କରେ ଘଟୁଥିବା ସୂକ୍ଷ୍ମ ପରିବର୍ତ୍ତନ, ଭାଙ୍ଗିଯାଉଥିବା ମୂଲ୍ୟବୋଧ ଏବଂ ନୂଆ ଜୀବନଦର୍ଶନର ପ୍ରତିଫଳନ ଏହି ଗଳ୍ପଗୁଡ଼ିକରେ ରହିଛି ବୋଲି କହିଥିଲେ। ବିଶିଷ୍ଟ କବି ଓ ଗୀତିକାର ଦୁର୍ଗାମାଧବ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାହିତ୍ୟିକ ଆସରକୁ ଯୁବ ଗାଳ୍ପିକ ବିବିଧ ବିଶ୍ୱ ସଂଯୋଜନା କରିଥିବାବେଳେ ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ।
ସାହିତ୍ୟର ସୁଗନ୍ଧରେ ମହକି ଉଠିଥିବା ଏହି ସନ୍ଧ୍ୟାରେ ‘ବଦଳୁଥିବା ମଣିଷ’ କେବଳ ଏକ ପୁସ୍ତକ ଭାବେ ନୁହେଁ, ବରଂ ସମୟ ସହ ବଦଳୁଥିବା ମଣିଷ ଓ ସମାଜର ଏକ ସଂବେଦନଶୀଳ ଦଲିଲ ଭାବେ ପାଠକଙ୍କ ନିକଟରେ ପହଞ୍ଚିବ ବୋଲି ଉପସ୍ଥିତ ସାହିତ୍ୟପ୍ରେମୀମାନେ ଆଶା ପ୍ରକାଶ କରିଥିଲେ।

