ରାୟଗଡା (ପ୍ରତିଫଳନ ମିଡ଼ିଆ )
ଚାନ୍ଦିଲି ଥାନା ଅନ୍ତର୍ଗତ ଖଲିଗୁଡା ଗ୍ରାମ ନିକଟରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଛି । ହ୍ୟୁଣ୍ଡାଇ ଶୋରୁମ ପାଖ ରାସ୍ତା କଡ଼ରୁ ଏକ କଳା ରଙ୍ଗର ବ୍ୟାଗ ମଧ୍ୟରୁ ପ୍ରାୟ ୩୦-୩୫ ବର୍ଷ ବୟସର ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କୌଣସି ଅଜଣା ବ୍ୟକ୍ତି ମହିଳାଙ୍କ ହାତ ବାନ୍ଧି ତାଙ୍କୁ ବ୍ୟାଗ ଭିତରେ ରଖି ଉକ୍ତ ସ୍ଥାନରେ ଫିଙ୍ଗି ଦେଇଥାଇପାରେ। ଏହି ଘଟଣା ସମ୍ପର୍କରେ ଚାନ୍ଦିଲି ଥାନା ମାମଲା ନଂ ୧୯୮/୨୦୨୬ ରୁଜୁ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରାଯାଇଛି। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟାଗ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା।

ପରୀକ୍ଷା-ନିରୀକ୍ଷା ସମୟରେ ଜଣାପଡ଼ିଛି ଯେ ମୃତଦେହଟି ଜଣେ ମହିଳାଙ୍କର । ମୁହଁ ବହୁ ପରିମାଣରେ ପଚିଯାଇଥିବାରୁ ତାଙ୍କ ପରିଚୟ ତୁରନ୍ତ ସ୍ଥିର କରାଯାଇ ପାରିନାହିଁ । ମୃତ ମହିଳାଙ୍କ ଉଚ୍ଚତା ପ୍ରାୟ ୫ ଫୁଟରୁ ୫ ଫୁଟ ୪ ଇଞ୍ଚ ମଧ୍ୟରେ ହୋଇଥିବା ବେଳେ ତାଙ୍କ ଚର୍ମର ରଙ୍ଗ ଫର୍ସାରୁ ଗହମ ରଙ୍ଗର ବୋଲି ଅନୁମାନ କରାଯାଉଛି। ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ଯେ କେହି ପରିଚୟ ପାଇଲେ ଚାନ୍ଦିଲି ପୋଲିସକୁ ଜଣାଇବା ଲାଗି ପୋଲିସ ଅନୁରୋଧ କରିଛି। ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି। ଶବର ପରିଚୟ ମିଳିବା ପରେ ସବିଶେଷ ଘଟଣା ସମ୍ପର୍କରେ ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

