ସୃଜନ ଶିଳ୍ପୀ, ସଂଗଠକ ତଥା ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକଙ୍କ ପରଲୋକ

ରାୟଗଡ଼ା ( ପ୍ରତିଫଳନ ମିଡ଼ିଆ )
ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ(୬୯ ବର୍ଷ)ଙ୍କ ଗତ ୨୧ ତାରିଖ ରାତିରେ ହୃଦଘାତ ଜନିତ ଦେହାନ୍ତ ହୋଇଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଶେଷ ସମୟ ବେଳେ ପାଖରେ ଧର୍ମପତ୍ନୀ କଲ୍ୟାଣୀ କୁମାରୀ ପାତ୍ର, ପୁତ୍ର ଦେବୀ ପ୍ରସାଦ ପଟ୍ଟନାୟକ, କନ୍ୟା ପ୍ରକଳ୍ପିନୀ ପଟ୍ଟନାୟକ, ଜ୍ୱାଇଁ ପ୍ରମୋଦ ପଟ୍ଟନାୟକ, ବଡ଼ଭାଇ ପ୍ରଦୀପ ପଟ୍ଟନାୟକ ଓ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀ ପଟ୍ଟନାୟକ ୧୯୫୭ ମସିହାରେ ଗଞ୍ଜାମ ଜିଲ୍ଲାର ଭଂଜନଗର ନିକଟସ୍ଥ କୋକିଳବା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୮୦ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ନିଜର ବଡ଼ଭାଇ ସୁସାହିତ୍ୟିକ ତଥା ଗବେଷକ ଶ୍ରୀ ପ୍ରଦୀପ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ସମାଜ ସେବାରେ ମଧ୍ୟ ନିୟୋଜିତ ରଖୁଥିଲେ। ବିଭିନ୍ନ ଆଦିବାସୀ ଗ୍ରାମକୁ ଯାଇ ସର୍ବଦା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଚାର ଓ ପ୍ରସାର କରୁଥିଲେ। ସଞ୍ଚୟ ଖାତା ଖୋଲିବା, ସଞ୍ଚୟାଭିମୁଖୀ ହେବା, ଜଙ୍ଗଲଜାତ ଦ୍ରବ୍ୟ ବିକ୍ରିକରି ରୋଜଗାରକ୍ଷମ ହେବା, ମଦ୍ୟପାନ ପରିହାର କରିବା, ନୂଆ ଜଙ୍ଗଲ ସୃଷ୍ଟିକରିବା, ସାକ୍ଷର ହେବା ଇତ୍ୟାଦି ବହୁବିଧ ପ୍ରଗତିମୂଳକ ବାର୍ତ୍ତା ମାଧ୍ଯମରେ ଆଦିବାସୀ ଅଞ୍ଚଳରେ ବେଶ ପରିବର୍ତ୍ତନ ଆଣିଥିଲେ। ଆଦର୍ଶ ଶିକ୍ଷକଭାବେ ସେ ମାତ୍ର ୪୨ ବର୍ଷ ବୟସରେ ରାଜ୍ୟପାଳ ପୁରସ୍କାର ପାଇ ସମଗ୍ର ରାୟଗଡ଼ା ଜିଲ୍ଲାପାଇଁ ଗୌରବ ଆଣିଥିଲେ। ୨୦୧୦ -୧୧ ଆର୍ଥିକ ବର୍ଷରେ ସେ ଉଭୟ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନ ଲାଭ କରିଥିଲେ। ଏତଦବ୍ୟତୀତ ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ରର ଶ୍ରେଷ୍ଠ ସ୍ୱେଚ୍ଛାସେବୀଭାବେ ସମ୍ମାନିତ ହୋଇଥିଲେ। ଦୀର୍ଘଦିନ ଧରି ରାୟଗଡ଼ା ଜିଲ୍ଲା ଶିକ୍ଷକ ସଂଘର ସଭାପତି ମଧ୍ୟ ରହିଥିଲେ। ଶ୍ରୀ ପଟ୍ଟନାୟକ ନିଜର ଶିକ୍ଷକତା ବୃତ୍ତି ବ୍ୟତୀତ ଏକାଧାରରେ ନାଟ୍ୟକାର, ଗୀତିକାର, କଣ୍ଠଶିଳ୍ପୀ, ଗାଳ୍ପିକ, ସମାଲୋଚକ ଓ ସୁସଙ୍ଗଠକ ଭାବେ ବେଶ ସଫଳତା ହାସଲ କରିଥିଲେ।

ଚାକିରୀରୁ ଅବସର ନେବାପରେ ନିଜର ବ୍ୟବସାୟ ଆରମ୍ଭ କରି ବହୁ ଗରିବ ଓ ଅସହାୟ ଲୋକଙ୍କୁ ସ୍ୱାବଲମ୍ବୀ କରିଥିଲେ। ଶାସନକୁ ଲୋକାଭିମୁଖୀ କରିବା ପାଇଁ ସେ ରାଜନୀତି ରେ ମଧ୍ୟ ପାଦ ରଖିଥିଲେ। ରାୟଗଡ଼ା ଜିଲ୍ଲା ବିଜେପି ସଙ୍ଗଠନରେ ସେ ଜଣେ ପ୍ରମୁଖ ପଦାଧିକାରୀ ରହିଥିଲେ। ରାୟଗଡ଼ା ସହରରେ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହି ସେ ସମସ୍ତଙ୍କ ପ୍ରିୟ ଓ ପ୍ରଶଂସିତ ହୋଇ ଆସିଥିଲେ। ସେ ଅଟଳ ବିହାରୀ ବାଜପେୟୀ ସ୍ମୃତି ସଂସଦର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ।

ଶ୍ରୀ ପଟ୍ଟନାୟକଙ୍କ ଆକସ୍ମିକ ଦେହାନ୍ତ ଖବର ପାଇ ସହରରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ‘ଆଜାଦ ହିନ୍ଦ ଆସୋସିଏସନ’ ତରଫରୁ ୨୨ ତାରିଖ ସନ୍ଧ୍ୟାରେ ଏକ ମିଳିତ ଶୋକସଭାର ଆୟୋଜନ କରାଯାଇଥିଲା। ତାଙ୍କର ବିୟୋଗରେ ସହରର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପ୍ରାଧ୍ୟାପକ ଦୁଷ୍ମନ୍ତ ମହାନ୍ତି, ସୁଶାନ୍ତ କୁମାର ନାୟକ, ସତ୍ୟ ନାରାୟଣ ଗନ୍ତାୟତ, ଆଶୁତୋଷ ପାତ୍ର, ନୀଳମଣି ପାଟଯୋଶୀ, ବିନାୟକ କର, ଦ୍ବିତୀଚନ୍ଦ୍ର ସାହୁ, କୀର୍ତ୍ତିଚନ୍ଦ୍ର ସାହୁ, ଶିବ ନାରାୟଣ ମିଶ୍ର, ରାଜେଶ ପାଢ଼ୀ, ତ୍ରିବେଣୀ ମିଶ୍ର, ମଞ୍ଜୁଶ୍ରୀ ମୁଖାର୍ଜୀ, ମହାଶ୍ଵେତା ମିଶ୍ର, କଲ୍ୟାଣୀ ସାସମଲ, ଅରୁଣ ପାଣିଗ୍ରାହୀ, ରାମଚନ୍ଦ୍ର ପଟ୍ଟନାୟକ, କାଳି ଚରଣ ରଥ, ଗୋବିନ୍ଦ ରଥ, ଲୋକନାଥ ପଣ୍ଡା, ତ୍ରିନାଥ ଖାଡଙ୍ଗା, ସୁବାସ ବେହେରା, ଶ୍ରୀଧର ପଟ୍ଟନାୟକ, ବିମଳ ଚାନ୍ଦ ପଟ୍ଟନାୟକ, ଶିବ ନାରାୟଣ ଗୌଡ଼, ଆଶିଷ ପଣ୍ଡା ଓ ହୃଷୀକେଶ ରଥ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love