ରାୟଗଡା (ପ୍ରତିଫଳନ ମିଡ଼ିଆ )
ମୋଟା ଦରମା ଅଣ୍ଟିଲାନି ବାବୁଙ୍କୁ। ଲୋଭ ବଢିଲା। ବିଲ ପାଇଁ ଦାବୀ କଲେ ଲାଂଚ । ଆଉ ଲାଞ୍ଚଖିଆ ଇଞ୍ଜିନିଅର ଶେଷରେ ଭିଜିଲାନ୍ସ ହାତରେ ଧରାପଡିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଆଉ ସପ୍ତାହକ ପରେ ସେ ଅବସର ନେଇ ଲାଞ୍ଚରେ ଅର୍ଜିଥିବା ଅର୍ଥରେ ମଉଜରେ ଅବସର ପରବର୍ତ୍ତୀ ଜୀବନ ବିତେଇ ଥାଆନ୍ତେ। କିନ୍ତୁ ସବୁକିଛି ଓଲଟପାଲଟ ହୋଇଗଲା। ଅବସର ପରେ ଘରକୁ ଯିବା ବଦଳରେ ସେ ଏବେ ଜେଲ ଯିବେ ।

ଜଣେ ଠିକାଦାର ଠାରୁ ୨ଲକ୍ଷ ଟଙ୍କା ଲାଞ୍ଚ ନେଇ ରାୟଗଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଟଙ୍କା ନ ଦେଲେ ବିଲରେ ଦସ୍ତଖତ ମାରିବାକୁ ରାଜି ହେଉ ନଥିଲେ ଇଞ୍ଜିନିଅର। ଯିଏ ମାଗିଥିବା ମୁତାବକ ଅର୍ଥ ଦେଲା ତାର ବିଲ ସେ କରୁଥିଲେ। ସେମିତି ବିଲ୍ କରାଇଦେବା ପାଇଁ ଜଣେ ଠିକାଦାରଙ୍କୁ ୨ ଲକ୍ଷ ଟଙ୍କା ଦାବି କରିଥିଲେ ନିର୍ବାହୀ ଯନ୍ତ୍ରୀ। ଏନେଇ ଠିକାଦାର ଜଣକ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ନିକଟରେ ଅଭିଯୋଗ କରିଥିଲେ। ଯୋଜନା ଅନୁସାରେ ଠିକାଦାର ଜଣକ ଉକ୍ତ ଟଙ୍କା ନିର୍ବାହୀ ଅଧିକାରୀଙ୍କ ଘରେ ନେଇ ଦେଇଥିଲେ । ଏହା ପରେ ରାୟଗଡା ଭିଜିଲାନ୍ସ ଡି ଏସ ପି ସୂର୍ଯ୍ୟକାନ୍ତି ଟାକ୍ରୀ ଓ ଡି ଏସ ପି ଅଭୟ ପ୍ରଧାନଙ୍କ ନେତୃତ୍ୱ ରେ ଛକି ବସିଥିବା ୧୦ଜଣିଆ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲେ। ନିର୍ବାହ ଯନ୍ତ୍ରୀଙ୍କ ଠାରୁ ରଙ୍ଗବୋଳା ଟଙ୍କା ମିଳିଥିଲା।

ଏହାପରେ, ଆୟ ବହିର୍ଭୁତ ସମ୍ପତି ଠୁଳ ନେଇ ନୟାଗଡ଼ କିଲ୍ଲା ଏବଂ ଭୁବନେଶ୍ୱର ଠାରେ ମଧ୍ୟ ଚଢ଼ାଉ ଚାଲିଛି। ପରେ ସବିଶେଷ ସମ୍ପତ୍ତି ଜଣାପଡିବ। ସ୍ଥାନୀୟ ଠିକାଦାରମାନେ ମଧ୍ୟ ତାଙ୍କ ବିରୋଧରେ ଦୀର୍ଘ ଦିନ ଧରି ଅଭିଯୋଗ କରି ଆସୁଥିଲେ। ଏଥିନେଇ ଭିଜିଲାନ୍ସ ବେଶ ସକ୍ରିୟ ଥିଲା। ରାୟଗଡାରେ ଭିଜିଲାନ୍ସ ଚଢ଼ାଉର ଲମ୍ବା ତାଲିକା ରହିଛି। ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଜଳ ବିଭାଜିକା ମିଶନ ଅଧିକାରୀ ଓ କର୍ମଚାରୀ ଗୋଟିଏ ପରେ ଗୋଟିଏ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏହି ଘଟଣା ପରେ ଜିଲ୍ଲାରେ କର୍ମରତ କିଛି ଲାଞ୍ଚଖିଆ ପ୍ରାଶାସନିକ ଅଧିକାରୀ ବେଶ ଛାନିଆ ହୋଇପଡିଛନ୍ତି। ଅନେକେ ଏବେ ଭିଜିଲାନ୍ସ ସ୍କାନରରେ ରହିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଆଗକୁ ଆହୁରି ବ୍ୟାପକ ଧରାପଗଡ଼ ସମ୍ଭାବନା ଦେଖାଦେଇଛି। ତେବେ ରାଜ୍ୟ ଭିଜିଲାନ୍ସର ସକ୍ରିୟତା ଯୋଗୁଁ ଜିଲ୍ଲାରେ ନିଜକୁ ନିଜକୁ ଅଧିକ ପ୍ରଭାବ ଶାଳୀ ବୋଲାଉଥୁବା ଗୋଟାଏ ପରେ ଗୋଟାଏ ଭଦ୍ର ମୁଖାଧରି ଲାଞ୍ଚୁଆ ଅଧିକାରୀ ମାନେ ଧରା ପଡୁଛନ୍ତି।ଆଗକୁ ଭିଜିଲାନ୍ସ ଜାଲରେ ଜିଲ୍ଲାର କେଉଁ ଲାଞ୍ଚୁଆ ଅଫିସର ଧରା ପଡୁଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

