ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ,ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି.

କୋରାପୁଟ :ପ୍ରତିଫଳନ ମିଡ଼ିଆ

କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ କୁମାର ଶିଶାଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ହଠାତ୍ ଗୁରୁବାର ସକାଳେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ଚାଳିଶି ବର୍ଷ ହୋଇଥିଲା। ଦେହ ଅସୁସ୍ଥ ଥିବା ସତ୍ତ୍ବେ ସେ ନିଜ କାର୍ଯ୍ୟାଳୟକୁ ଯାଇ କର୍ତ୍ତବ୍ୟ କରି ବାକୁ କେବେ ଅବହେଳା କରି ନଥିଲେ। ନିଜ ପତ୍ନୀଙ୍କ ସହ ଅଟୋ ଯୋଗେ ଆସି ନିଜର ଦାୟିତ୍ୱ ନିର୍ବାହ କରୁଥିଲେ ।ଶବ ବ୍ୟବଚ୍ଛେଦ ସରିଲା ପରେ ସ୍ୱର୍ଗତ ଶିଶାଙ୍କ ପାର୍ଥିବ ଶରୀରକୁ ନିଜ ପୈତୃକ ଗାଁ ନନ୍ଦପୁର ପାଟ କମାରା ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ତରଫରୁ ସୂଚନା ମିଳିଛି ।

ତାଙ୍କ ନିଧନ ଖବର ଶୁଣିବା ପରେ କୋରାପୁଟ ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଗଭୀର ଶୋକ ପ୍ରକଟ କରିଛନ୍ତି । କୋରାପୁଟ ପ୍ରେସ କ୍ଲବ,ଜୟପୁର ପ୍ରେସ କ୍ଲବ, କୋଟପାଡ଼ ପ୍ରେସ କ୍ଲବ, ବୋରିଗୁମା ପ୍ରେସ କ୍ଲବ,ଏସୟୁଜେ, ଓୟୁଜେ, ଉତ୍କଳ ସାମ୍ବାଦିକ ସଂଗଠନ,ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।ଅସମୟରେ ନିଧନ ହେବା ଘଟଣା ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ କର୍ମଚାରୀମାନେ ତାଙ୍କର ଶେଷ ଦର୍ଶନ କରି ସ୍ୱର୍ଗତ ଶିଶାଙ୍କ ପାର୍ଥିବ ଶରୀରରେ ପୁଷ୍ପ ମାଲ୍ୟ ଅର୍ପଣକରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ନରେଶଚନ୍ଦ୍ର ଶବର ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ପ୍ରଧାନ, ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ, ରାୟଗଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି, ଗଜପତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇ, ନବରଙ୍ଗପୁର ଉପଖଣ୍ଡ-ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟନାରାୟଣ ପ୍ରଧାନ, କୋରାପୁଟ ଉପଖଣ୍ଡ -ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରାଧାରାଣୀ ଏବଂ ଜୟପୁର ଉପଖଣ୍ଡ-ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ଓ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ଶିଶାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ୱର୍ଗତ ସ୍ୱରାଜ ଶିଶାଙ୍କ ନିଷ୍ଠା, କର୍ମଦକ୍ଷତା ଏବଂ ଜନସମ୍ପର୍କ କ୍ଷେତ୍ରରେ ଅବଦାନର ସ୍ମୃତି ଚାରଣ କରିଥିଲେ।

Spread the love