କୋରାପୁଟ (ପ୍ରତିଫଳନ ମିଡ଼ିଆ )
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଚମ୍ପିଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜୁନ 25 ତାରିଖ ଗୁରୁବାର ଦିନ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହି ଜନ ଶୁଣାଣିରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଓ ଦଶମନ୍ତପୁର ବ୍ଲକର ୨୨ଖଣ୍ଡ ଗ୍ରାମର ଦୁଇ ହଜାରରୁ ଉର୍ଦ୍ଧ ଲୋକେ ଯୋଗ ଦେଇଥିଲେ । କୋରାପୁଟ ଓ ରାୟଗଡା ଜିଲ୍ଲା ସୀମାନ୍ତରେ ରହିଥିବା କୋଡ଼ିଙ୍ଗା ମାଳି ବକ୍ସାଇଟ ଖଣିରୁ ଓଡିଶା ଖଣି ନିଗମ ଦ୍ୱାରା ଦୀର୍ଘ ୮ବର୍ଷ ଧରି ବେଦାନ୍ତ କମ୍ପାନୀ ୩.୬ ମିଲିୟନ ଟନ ବକ୍ସାଇଟ ନେଉଥିବା ବେଳେ ବର୍ତ୍ତମାନ ତାହା ୩.୬ମିଲିୟନ ଟନ ରୁ ୬ମିଲିୟନ ଟନକୁ ବୃଦ୍ଧି କରିବା ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଏଥିରେ ଅଞ୍ଚଳର ଲୋକେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ ଉପରେ ୪୧ଜଣ ମତ ରଖି ଥିଲେ। ଅଞ୍ଚଳର ରାସ୍ତା, ପାଣି, ମେଡିକାଲ, ଶିକ୍ଷା, ପରିବେଶ ଓ ନିଯୁକ୍ତି ଉପରେ ନିଜ ନିଜର ମତ ରଖିଥିଲେ। ଏବଂ ୬ମିଲିୟନ ଟନ ଖନନ ବୃଦ୍ଧି ପ୍ରସ୍ତାବ କୁ ସମର୍ଥନ କରିଥିଲେ । ସରକାରଙ୍କ ପ୍ରତିନିଧି ଭାବେ ଉପସ୍ଥିତ ରହି କୋରାପୁଟ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଅତିରିକ୍ତ ଜିଲ୍ଲପାଳ ନରେଶ ଶବର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୋରାପୁଟ ଦିପେଶ କୁମାର ବିଶ୍ୱାଳ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଜନ ଶୁଣାଣିର ସମସ୍ତ ଦୃଶ୍ୟ ଭିଡ଼ିଓ ସୁଟିଙ୍ଗ କରାଯାଇଛି ଏବଂ ତାହା ସରକାରକୁ ପ୍ରେରଣ କରାଯିବ ବୋଲି ଅଧିକାରୀ କହିଛନ୍ତି ।ଜନ ଶୁଣାଣିକୁ କିପରି ଶାନ୍ତି ଶୃଙ୍ଖଳା ଭାବେ ହୋଇ ପାରିବ ସେଥିନେଇ କୋରାପୁଟ ଏସପି ରୋହିତ ବର୍ମା ନିଜେ ଉପସ୍ଥିତ ରହିବା ସହିତ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଥିଲେ ।ପୋଲିସ ଛାଉଣୀ ଘେରରେ ଶାନ୍ତି ଶୃଙ୍ଖଳାର ସହ ଜନ ଶୁଣାଣି ହୋଇଥିଲା ବୋଲି ଅତିରିକ୍ତ ଜିଲ୍ଲପାଳ ନରେଶ ଚନ୍ଦ୍ର ଶବର ଓ କୋରାପୁଟସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଦିପେଶ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।
କୋଡ଼ିଙ୍ଗା ମାଳି ସୁରକ୍ଷା ମଞ୍ଚର ଆବାହକ ସୁଧାକର ବାଗ, ଅଞ୍ଚଳର ପ୍ରମୁଖ ବ୍ୟକ୍ତି ବିପିନ ମାଣ୍ଡିକା, ବଂଶୀଧର ହାଲୁଆ, ଲକ୍ଷ୍ମୀପୁର ଗ୍ରାମର ଦିପକ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ଜନ ଶୁଣାଣିରେ ମତ ରଖିଥିଲେ।



