ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ଜନଜାତି କଳାକାର, ଗଞ୍ଜାମ ଗସ୍ତ ବେଳେ ନୃତ୍ୟରେ ବିମୋହିତ ହୋଇଥିଲେ ରାଷ୍ଟ୍ରପତି

ବ୍ରହ୍ମପୁର (ବେଣୁଧର ମହାନ୍ତି )

ଅଗଷ୍ଟ ୪ ତାରିଖରେ ମହାମହିମ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣିସ୍ଥିତ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ ପାଇଁ ଆସିଥିବା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପାରମ୍ପରିକ ସାଂସ୍କୃତିକ ଦଳ ଦ୍ୱାରା ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାନଖେମୁଣ୍ଡି ବ୍ଲକ ସୁବର୍ଣ୍ଣଗଡ଼ର ମା’ ଦଣ୍ଡକାଳୀ ଗ୍ରୁପ୍ ପକ୍ଷରୁ ପ୍ରାଚୀନ ସୌରା (ଶବର) ଜନଜାତିର ପାରମ୍ପରିକ ନୃତ୍ୟ, ବ୍ରହ୍ମପୁରର ସଂରଚନା ଗ୍ରୁପ୍ ପକ୍ଷରୁ ଚାଙ୍ଗୁ, ନିଶାଣ, ବଂଶୀ, ଗିନି, ଝାଞ୍ଜ, ଘଣ୍ଟ, ମହିଷୀ ଶିଙ୍ଗା ଓ ତୁରୀର ତାଳେ ସାଦ୍ରା ନୃତ୍ୟ, ସୋରଡ଼ା ବ୍ଲକର ତୁଳସୀ ଗ୍ରୁପ୍ ପକ୍ଷରୁ କାମକ, ଝାଞ୍ଜ, ମହୁରୀ ଓ ତୁରୀର ସୁମଧୁର ସ୍ୱରରେ ପାରମ୍ପରିକ ସୌରା ଆଦିବାସୀ ନୃତ୍ୟ, ସାନଖେମୁଣ୍ଡି ବ୍ଲକ କଟାପଲ୍ଲୀର ଗୌରାଙ୍ଗ ବାସୁଦେବ ନାମ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଭକ୍ତିମୟ ନାମ ସଂକୀର୍ତ୍ତନ ଏବଂ ଖେମୁଣ୍ଡିଖୋଲର ସୌର ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘ, ନୀଳମାଧବ ଗ୍ରୁପ୍ ପକ୍ଷରୁ ଟମକ ଓ ଚାଙ୍ଗୁ ପରିବେଷଣ କରାଯାଇଥିଲା।

ଏହି ମନୋମୁଗ୍ଧକର ଲୋକନୃତ୍ୟ ଓ ଲୋକସଙ୍ଗୀତ ଦେଖି ମହାମହିମ ରାଷ୍ଟ୍ରପତି କଳାକାରମାନଙ୍କୁ ଦିଲ୍ଲୀ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ। କଳାକାରମାନେ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପତି ଭବନକୁ ଗସ୍ତ କରି ସାକ୍ଷତ କରିଥିଲେ । ସେଠାରେ ରାଷ୍ଟ୍ରପତି କଳାକାରମାନଙ୍କ ସହ କଥାବାର୍ତ୍ତା ହେବା ସମ୍ବର୍ଦ୍ଧନା କରିଥିବା ଚିତ୍ର ଏବେ ସାମନାକୁ ଆସିଛି । କଳାକାରମାନଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ମଧ୍ୟ ଗସ୍ତ କରିଥିଲେ । କଳା ପ୍ରତି ରାଷ୍ଟ୍ରପତିଙ୍କ ଭଲ ପାଇବା କେତେ ରହିଛି ତାହା ସ୍ପଷ୍ଟ ଅନୁମେୟ ହୋଇ ପଡିଛି।

ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ଓ ସାକ୍ଷାତ କଳାକାରମାନଙ୍କ ମନୋବଳକୁ ଆହୁରି ଦୃଢ଼ୀଭୂତ ହେବା ଆଶା କରା ଯାଉଛି। ଲୁପ୍ତ ପାଉଥିବା କଳା ଏବେ ପ୍ରସ୍ପୁଟିତ ହେବା ଆଶା ସଂଚାର ହୋଇଛି । କଳାକାରମାନେ ଅତି ନିକଟରୁ ରାଷ୍ଟ୍ରପତିଙ୍କୁ ପାଇ ବେଶ ଖୁସି ଅନୁଭବ କରିଥିବା ଜନଜାତି କଳାକାରମାନେ କହିଛନ୍ତି।

Spread the love