ବିଜେପିରେ ଗୋଳମାଳିଆ ସ୍ଥିତି, ବିଜେଡି ହେଉଛି ରସାତଳ, କଂଗ୍ରେସ ହେବ ନିଛିହ୍ନ !

ଗଞ୍ଜାମ ରାଜନୀତି ଘଡିକେ ଘୋଡା ଛୁଟୁଛି

ବ୍ରହ୍ମପୁର : (ବେଣୁଧର ମହାନ୍ତି )

ବିଜେପିରେ ଗୋଳମାଳିଆ ସ୍ଥିତି । ବିଜେଡି ହେଉଛି ରସାତଳ । ଆଉ କଂଗ୍ରେସ ହେବ ନିଛିହ୍ନ ! ଵର୍ତମାନ ଗଞ୍ଜାମ ରାଜନୀତିର ସ୍ଥିତି କିଛି ଏମିତି । ଗଞ୍ଜାମ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କିଏ କାହାର ଜଣା ପଡୁନି। ଜିଲ୍ଲା ରାଜନୀତି ହେଉଛି ଗୋଳିଆ । ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ଗଞ୍ଜାମ ଜିଲ୍ଲା ବି ଜେ ଡି ସଭାପତି ବିକ୍ରମ ପଣ୍ଡା ଗିରଫ ହୋଇ ଜେଲ ଯାଇଥିଲେ । ଗତ 1 ତାରିଖ ସନ୍ଧ୍ୟାରେ ଜେଲରୁ ମୁକୁଳି ବାହାରକୁ ଆସିଥିଲେ । ବିରାଟ ଶୋଭାଯାତ୍ରାରେ ଦଳୀୟ ସମର୍ଥକ, ଶୁଭେଛୁ, ନେତା, କର୍ମୀ, ରାଜ୍ୟ ସ୍ତରୀୟ ନେତୃବୃନ୍ଦ ପହଂଚି ପାଛୋଟି ନେଇଥିଲେ । ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ବିକ୍ରମଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ବି ଜେ ଡି ଆହୁରି ଶକ୍ତିଶାଳୀ ହେବ ବୋଲି ରାଜ୍ୟ ନେତୃବୃନ୍ଦ ଦୃଢୋକ୍ତି ଦେଖାଇଥିଲେ । ହେଲେ ବିକ୍ରମ ଜେଲରୁ ମୁକୁଳିବାର 24 ଘଣ୍ଟା ନପୂରୁଣୁ ଛତ୍ରପୁର ଏନ ଏ ସି ର 10 ବି ଜେ ଡି କାଉଁସିଲର ବିଜେପିରେ ମିଶିଵା ସମସ୍ତଙ୍କୁ ଚକିତ କରିଛି । ଏହି ଘଟଣା ପରେ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ବିଜେପିର ଶକ୍ତି ବୃଦ୍ଧି ହୋଇଥିବା ଜଣାପଡିଛି। ଏଣେ ସାଧାରଣ ସଭାରେ ଗଞ୍ଜାମ ଜିଲ୍ଲାର ସମସ୍ୟାକୁ ଉପସ୍ଥାପନା କରି ସାଧାରଣରେ ପ୍ରଶଂସା ସାଉଁଟିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ।

ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷ, ଆଇନଜୀବି ଏବଂ ୯ ବିଜେଡି କାଉନସିଲରଙ୍କ ସମେତ ବହୁ ଛାମୁଆ ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି। ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିଜେପିର ସାଙ୍ଗଠନିକ ଶକ୍ତି ଆହୁରି ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟଧାରା ଓ ବିଜେପିର ନୀତି-ଆଦର୍ଶରେ ଅନୁପ୍ରାଣିତ ହୋଇ ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷ ତଥା ବିଜେଡି ନେତା ଜି. ପାପା ରାଓ ଏବଂ ଯୁବ ଆଇନଜୀବୀ ତଥା ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବ ସଂଗଠକ ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ୯ ଜଣ ବିଜେଡି କାଉନସିଲରଙ୍କ ସମେତ ବିଭିନ୍ନ ଦଳର ବହୁ ନେତା ଓ କର୍ମୀ ବିଜେପିରେ ଯୋଗଦେଇଛନ୍ତି। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ସୁଜିତ କୁମାର, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ । ନବାଗତମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା ।

ବିଜେପିରେ ସାମିଲ କାଉନସିଲରମାନେ ହେଲେ ଦେବାଶିଷ ମିଶ୍ର, ସନ୍ତୋଷୀ ସେଠୀ, କେ. ରମେଶ, ସୁମନ୍ତ ନାହାକ, ବି. ନିଶ୍ଚଳା ସ୍ୱାମୀ, ପ୍ରୀତିଛନ୍ଦା ସାମଲ, ମାମା ସେଠୀ,ମମତା ପାତ୍ର ଓ ଡି. ଇନ୍ଦୁ । ଏହାସହ ଯୁବ ନେତା ଅକ୍ଷୟ ସ୍ୱାଇଁ, ପୂର୍ବତନ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ପୂର୍ବତନ ବିଧାୟକଙ୍କ ପ୍ରତିନିଧି ଏନ. ୱାର୍ଦ୍ଧରାଜୁଲୁ ରେଡ୍ଡୀ,ରବୀନ୍ଦ୍ର ସାହୁ, ରମେଶ ଛଟେଇ, ସନମୁଖ ପଟ୍ଟନାୟକ, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ନିବାସୀ ଗୌଡ଼ ଓ ପୁରୁଷୋତ୍ତମ ପାତ୍ରଙ୍କ ସମେତ ବହୁ ନେତା ଓ କର୍ମୀ ଦଳରେ ଯୋଗଦେଇଥିଲେ ।

ଏହି ମିଶ୍ରଣ ଫଳରେ ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିଜେପିର ସାଙ୍ଗଠନିକ ଭିତ୍ତି ଆହୁରି ମଜବୁତ ହେବା ସହ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳକୁ ଏହା ବେଶ୍ ସହାୟକ ହେବ ବୋଲି ଦଳୀୟ ନେତୃବୃନ୍ଦ ମତ ପ୍ରକାଶ କରିଛନ୍ତି । ଏହି ନେତୃ ବିଜେଡି ଛାଡିବା ପରେ ଛତ୍ରପୁର ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି | ଯାହାକି ଛତ୍ରପୁର ପୌର ପରିଷଦର ରାଜନୀତିରେ ବଡ଼ଧରଣର ଓଲଟପାଲଟ ହୋଇଛି | ୨୦୨୨ ପୌର ନିର୍ବାଚନ ସମୟରେ ଛତ୍ରପୁର ୧୪ ଟି ୱାର୍ଡ ମଧ୍ୟ୍ୟରୁ ୧୦ ଟି ୱାର୍ଡ ବିଜେଡି, ଗୋଟିଏ ସ୍ୱାଧୀନ ଓ ତିନି ୱାର୍ଡ ବିଜେପି ଜିତିଥିଲା | ପରବର୍ତୀ ସମୟରେ ସ୍ୱାଧୀନ ପ୍ରାଥୀ ଜଣକ ବିଜେଡି ସାମିଲ ହୋଇ ଏହି ସଂଖ୍ୟା ୧୧ ରେ ପହଂଚିଥିଲା | ୧୦ ଜଣ ବିଜେଡି ଛାଡିଲେ | ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି |

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତ ସମୟରେ ଧବଳେଶ୍ୱର ମନ୍ଦିର ପଡିଆ ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନେକ ଦାବୀ ରଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ଲୋକଙ୍କ ଆକାଂକ୍ଷାକୁ ମୁଖ୍ୟମନ୍ତ୍ରୀଙ୍କୁ ସାଧାରଣ ଜନତା ସାମ୍ନାରେ କହି ବାସ୍ତବ ରାଜନେତା ଓ ଲୋକଙ୍କ ନେତା ବୋଲି ଦର୍ଶାଇଥିଲେ । ସାଂସଦଙ୍କ ସହ ଭଲ ସମ୍ପର୍କ ନ ଥିବା ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସରକାରଙ୍କ ଦ୍ୱାରା ହୋଇଥିବା ବିକାଶର ଲମ୍ବା ତାଲିକା ବଖାଣିଲେ । ତେବେ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଗଞ୍ଜାମର 10ଟି ଉଚ୍ଚ ବିଦ୍ୟାଳୟ କଲେଜରେ ପରିଣତ ହୋଇଛି । ବିକାଶର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ।ଏହାରି ଭିତରେ ଆଉ ଏକ ଚିତ୍ର ଜିଲ୍ଲା ରାଜନୀତିକୁ ପୁରା ଗରମା ଗରମ କରି ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କଂଗେସ ଦଳରୁ ବିଜୟୀ ହୋଇଥିବା ରମେଶ ଚନ୍ଦ୍ର ଜେନାଙ୍କ ଉପସ୍ଥିତି ରାଜନୀତି ବାତାବରଣଙ୍କୁ ସରଗରମ କରି ଦେଇଛି। ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ରମେଶ । କଂଗ୍ରେସ ପ୍ରତି ସନ୍ତୁଷ୍ଟି ନ ଥିବା ରମେଶଙ୍କ ହଠାତ ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା ହେବା ଗଞ୍ଜାମ ରାଜନୀତିକୁ ସରଗରମ କରିଛି । ରମେଶ ବିଜେପି ଆଡ଼କୁ ମୁହାଁଉଛନ୍ତି ବୋଲି ଆଲୋଚନା ହେଉଛି । ରାଜ୍ୟସଭା ନିର୍ବାଚନ ପରେ କଂଗ୍ରେସ ରମେଶଙ୍କୁ ନିଲମ୍ବିତ କରିଥିଲା । ଏହି ପରିସ୍ଥିତିରେ ବିଜେପି ଫାଇଦାରେ ଥିବାବେଳେ କଂଗ୍ରେସ ଓ ବିଜେଡିକୁ ଝଟକା ଲାଗିଛି । ଆଗାମୀ ନିର୍ବାଚନରେ ଏହାର କି ପ୍ରଭାବ ପଡିବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

Spread the love