ମାଲକାନଗିରି (ପ୍ରତିଫଳନ ମିଡ଼ିଆ )
ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରଗତି ପଥେ ମାଲକାନଗିରି ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରତିଷ୍ଠିତ ଜାତୀୟ ସ୍କଚ୍ ଆୱାର୍ଡ ପ୍ରଦାନ କରାଯିବ। ସ୍ଵଚ୍ ଗ୍ରୁପ୍ ପକ୍ଷରୁ କରାଯାଇଥିବା ସମସ୍ତ ଜଟିଳ ଓ ବହୁସ୍ତରୀୟ ମୂଲ୍ୟାୟନ ପ୍ରକ୍ରିୟାରେ ସଫଳ ହେବା ପରେ, ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ଏହି ପୁରସ୍କାର ସମ୍ପର୍କରେ ଅବଗତ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ଶନିବାର ଦିନ ନୂଆଦିଲ୍ଲୀର ଲୋଧୂ ରୋଡ୍ ସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ ଆୟୋଜିତ ହେବାକୁ ଥିବା ୧୧୦ତମ ସ୍କଚ୍ ସମିଟ୍ରେ ଜିଲ୍ଲା ପ୍ରଶାସନକୁ ଆନୁଷ୍ଠାନିକ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ।ଏହି ଗୌରବମୟ ସଫଳତା ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଏହି ଜାତୀୟ ସ୍ବୀକୃତି ମାଲକାନଗିରିର ସମଗ୍ର କ୍ଷେତ୍ରସ୍ବରୀୟ ଟିମ୍ର ଅକ୍ଲାନ୍ତ ପରିଶ୍ରମ, ସ୍ଥାନୀୟ ଯୁବପିଢ଼ିଙ୍କ ସକ୍ରିୟ ସହଭାଗିତା ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ମାର୍ଗଦର୍ଶନର ପରିଣାମ ଅଟେ। ଏହି ପ୍ରୟାସ ସହ ଜିଲ୍ଲାର ଯୁବ ସମାଜକୁ ସଶକ୍ତି କରିବା ସହ ସେମାନଙ୍କୁ ପ୍ରଗତି ଗତି ପଥରେ ଆଗେଇ ନେବାରେ ସହାୟକ ହୋଇଛି। ଏହି ପୁରସ୍କାର ଆଗାମୀ ଦିନରେ ଜିଲ୍ଲାବାସୀଙ୍କ ସେବା ଓ ବିକାଶମୂଳକ କାର୍ଯ୍ୟକୁ ଆହୁରି ଅଧୂକ ତ୍ବରାନ୍ବିତ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲାପାଳ କହିଛନ୍ତି ।ଏହି ଅଦ୍ଭୁତପୂର୍ବ ସଫଳତା ପରେ ସମଗ୍ର ଜିଲ୍ଲାରେ ଏକ ଖୁସିର ଲହରୀ ଖେଳିଯାଇଛି। ଏହି ଅଭିନବ ପ୍ରୟାସ, ସଫଳ ଯୋଜନା ଓ ଦୃଢ଼ ନେତୃତ୍ବ ପାଇଁ ସମସ୍ତେ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇବା ସହ ଟିମ୍ ମାଲକାନଗିରିର ଏହି ଦୂରଦୃଷ୍ଟି, ନେତୃତ୍ବ, ସହଭାଗିତା ଏବଂ ଶ୍ରେଷ୍ଠତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜିଲ୍ଲାପାଳଙ୍କ ଏଭଳି ଅଦ୍ଭୁତପୂର୍ବ ସଫଳତା ପାଇଁ ସବୁଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି।

