ଡ୍ରୋନ୍ ଭିଡିଓ ସେୟାର କରି କହିଲେ—ପ୍ରକୃତିର ଶାନ୍ତ ସୌନ୍ଦର୍ଯ୍ୟର ଅପୂର୍ବ ପ୍ରକାଶ
କୋରାପୁଟ ( ପ୍ରତିଫଳନ ମିଡ଼ିଆ )
ଯେଉଁଠି ପାହାଡ଼ ସହ ମେଘର ମିଳନ, ଯେଉଁଠି ଘଞ୍ଚ ସବୁଜିମାର ଛାତି ଚିରି ସାପ ପରି ବଙ୍କେଇ ବଙ୍କେଇ ଆଗକୁ ବଢ଼ିଛି ରାସ୍ତା। ସେହି ଅପୂର୍ବ ପ୍ରାକୃତିକ ଦୃଶ୍ୟ ହେଉଛି ଜୟପୁର ଘାଟି। ପ୍ରକୃତିର ଏହି ଅନନ୍ୟ ରୂପ ଯେ କୌଣସି ପର୍ଯ୍ୟଟକଙ୍କୁ ମୁଗ୍ଧ କରିବାକୁ ବାଧ୍ୟ କରେ।
କୋରାପୁଟର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟର ଏଭଳି ଏକ ଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ । ଜୟପୁର ଘାଟିର ମନୋରମ ଦୃଶ୍ୟକୁ ନେଇ ଏକ ସୁନ୍ଦର ଡ୍ରୋନ୍ ଭିଡିଓ ସେୟାର କରିଛନ୍ତି ମହାମହିମ ଓଡ଼ିଶା ରାଜ୍ୟପାଳ ଡ଼. ହରିବାବୁ କମ୍ଭବପତି।
ପୂର୍ବଘାଟ ପର୍ବତମାଳାର ଏହି ଅଞ୍ଚଳ କୋରାପୁଟର ପ୍ରାକୃତିକ ପରିଚୟର ଏକ ଅବିଚ୍ଛେଦ୍ୟ ଅଂଶ । ଜୟପୁର ପ୍ଲାଟୋ ପ୍ରାୟ ୬୧୦ ମିଟର ହାରାହାରି ଉଚ୍ଚତାରେ ଅବସ୍ଥିତ ଦୀର୍ଘ ଅଞ୍ଚଳ ଜୈବ ବିବିଧତା ବିସ୍ତୃତ ହୋଇଥିବାରୁ ଏହି ଭୂଭାଗର ଭୌଗୋଳିକ ବିଶେଷତା ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ବିଶେଷକରି ବର୍ଷାଦିନେ ଜୟପୁର ଘାଟିର ରୂପ ଆହୁରି ମନୋହର ହୋଇଉଠେ। ପାହାଡ଼ର ଢାଲରେ ଘନ ସବୁଜିମା, ଉପତ୍ୟକାରେ ଭାସୁଥିବା କୁହୁଡ଼ି ଭଳି ମେଘ, ଆଉ ମଝିରେ ଘାଟିକୁ ଚିରି ଯାଇଥିବା ରାଜପଥ ।ଦୂରରୁ ଦେଖିଲେ ମନେହୁଏ ପ୍ରକୃତି ନିଜେ ଏକ ଚିତ୍ର ଆଙ୍କିଛି । କେତେବେଳେ ପାହାଡ଼ର ଶିଖରକୁ ମେଘ ଢାଙ୍କି ଦିଏ, ତ କେତେବେଳେ ମେଘ ଖଣ୍ଡଖଣ୍ଡ ହୋଇ ପାହାଡ଼ ମଝିରେ ଭାସୁଥିବା ଦୃଶ୍ୟ ମନକୁ ଛୁଇଁଯାଏ ।

ଜୟପୁର ପ୍ରାକୃତିକ ସୌନ୍ଦର୍ଯ୍ୟର ଭୂମି ।ଏହାର ରହିଛି ଗଭୀର ଐତିହାସିକ ପରିଚୟ। ସପ୍ତଦଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ରାଜା ବୀର ବିକ୍ରମ ଦେବଙ୍କ ସମୟରେ ଜୟପୁର ରାଜ୍ୟର ରାଜଧାନୀ ହୋଇଥିଲା । ଆଜି ମଧ୍ୟ ଜୟପୁରର ଐତିହାସିକ ରାଜପ୍ରାସାଦ ଓ ପୁରୁଣା କୋଟ ଅଞ୍ଚଳର ଗୌରବମୟ ଅତୀତର ସାକ୍ଷୀ ହୋଇ ରହିଛି। ଜୟପୁର ଘାଟିର ଆଖପାଖ ଅଞ୍ଚଳ ମଧ୍ୟ ପ୍ରାକୃତିକ ଓ ସାଂସ୍କୃତିକ ପର୍ଯ୍ୟଟନରେ ସମୃଦ୍ଧ । ଦେଓମାଳିର ପାହାଡ଼, ଡୁଡୁମା ଜଳପ୍ରପାତ, ଗୁପ୍ତେଶ୍ୱର, ଶାବର ଶ୍ରୀକ୍ଷେତ୍ର ଓ ଅନ୍ୟାନ୍ୟ ପ୍ରାକୃତିକ ଓ ଧାର୍ମିକ ସ୍ଥଳ କୋରାପୁଟକୁ ପ୍ରକୃତି ଓ ପରମ୍ପରାର ଏକ ଅନନ୍ୟ ସମନ୍ୱୟରେ ପରିଣତ କରିଛି।
ଏହି ଅପୂର୍ବ ପ୍ରାକୃତିକ ଦୃଶ୍ୟ ଏବେ ରାଜ୍ୟପାଳଙ୍କ ଡ୍ରୋନ୍ ଭିଡିଓ ମାଧ୍ୟମରେ ଆହୁରି ବ୍ୟାପକ ଦର୍ଶକଙ୍କ ନଜରକୁ ଆସିଛି। ଭିଡିଓଟି ସେୟାର କରି ମହାମହିମ ଓଡ଼ିଶା ରାଜ୍ୟପାଳ ଡ଼. ହରିବାବୁ କମ୍ଭବପତି ଲେଖିଛନ୍ତି—
“Jeypore Ghati, wrapped in the lush green hills of Koraput, is a beautiful expression of Odisha’s serene natural landscape.”
ସେ ଆହୁରି ଲେଖିଛନ୍ତି ଯେ, ପୂର୍ବଘାଟ ମଧ୍ୟଦେଇ ରାସ୍ତା ଯେତେବେଳେ ଆଗକୁ ବଢ଼େ, ପ୍ରତ୍ୟେକ ମୋଡ଼ ଓଡ଼ିଶାର ନିରବ ସୌନ୍ଦର୍ଯ୍ୟ, ଚିରନ୍ତନ ପ୍ରକୃତି ଓ ଶାନ୍ତିର ଏକ ନୂଆ ଅନୁଭୂତି ଦେଇଥାଏ।
ରାଜ୍ୟପାଳଙ୍କ ଏହି ପୋଷ୍ଟ ଜୟପୁର ଘାଟିର ପ୍ରାକୃତିକ ମହିମାକୁ ପୁଣିଥରେ ସାମ୍ନାକୁ ଆଣିଛି। ସବୁଜ ପାହାଡ଼, ମେଘର ଲୁଚକାଳି ଓ ଘାଟି ମଧ୍ୟଦେଇ ଯାଇଥିବା ରାସ୍ତା—ସବୁ ମିଶି ଜୟପୁର ଘାଟିକୁ ଓଡ଼ିଶାର ପ୍ରକୃତିର ଏକ ଜୀବନ୍ତ ଚିତ୍ରପଟରେ ପରିଣତ କରିଛି। ଅବିଭକ୍ତ କୋରାପୁଟବାସୀ ମହାମହିମ ରାଜ୍ୟପାଳଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

