ସ୍ୱାଦିଷ୍ଟ ଖାଦ୍ୟ ସହ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ !
ରାୟଗଡ଼(ପ୍ରତିଫଳନ ମିଡ଼ିଆ)
ରାୟଗଡ଼ ସହରବାସୀଙ୍କ ପାଇଁ ଆସିଛି ଖୁସି ଖବର। ଏଣିକି ସହରବାସୀ ଗୋଟିଏ ସୁବ୍ୟବସ୍ଥିତ ଓ ମନୋରମ ପରିବେଶରେ ମନପସନ୍ଦର ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟର ଆନନ୍ଦ ନେଇପାରିବେ। ଏହି ଉଦ୍ଦେଶ୍ୟରେ ଅଣ୍ଟାରିଗୁଡ଼ାଠାରେ ନିର୍ମିତ ହୋଇଛି ଆକର୍ଷଣୀୟ ଫୁଡ୍ କୋର୍ଟ।
ନାଗରିକଙ୍କୁ ଉନ୍ନତ ସୁବିଧା ଯୋଗାଇବା ସହ ସହରର ଭିତ୍ତିଭୂମି ବିକାଶକୁ ନୂଆ ଦିଗ ଦେବା ପାଇଁ ରାୟଗଡ଼ ପୌରପରିଷଦ ପକ୍ଷରୁ ଏହି ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି। ଅଣ୍ଟାରିଗୁଡ଼ାଠାରେ ନିର୍ମିତ ଫୁଡ୍ କୋର୍ଟକୁ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ପ୍ରକଳ୍ପ ନିର୍ଦ୍ଦେଶକ, ଡୁଡା ଅକ୍ଷୟ କୁମାର ଖେମୁଣ୍ଡୁ, ରାୟଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ସମେତ ପୌରପରିଷଦର ସମସ୍ତ କାଉନସିଲର, ପୌର କର୍ମଚାରୀ ଓ ବହୁ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ଫୁଡ୍ କୋର୍ଟର ଶୁଭାରମ୍ଭ ଦ୍ୱାରା ସହରବାସୀଙ୍କୁ ଏକ ସୁନ୍ଦର, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ ପରିବେଶରେ ବିଭିନ୍ନ ପ୍ରକାର ଖାଦ୍ୟ ଉପଭୋଗ କରିବାର ସୁଯୋଗ ମିଳିବ। ଏହା କେବଳ ଖାଦ୍ୟପ୍ରେମୀଙ୍କ ପାଇଁ ଏକ ନୂଆ ଆକର୍ଷଣର କେନ୍ଦ୍ର ହେବ ନାହିଁ, ବରଂ ସ୍ଥାନୀୟ ଖାଦ୍ୟ ବ୍ୟବସାୟୀ, କ୍ଷୁଦ୍ର ଉଦ୍ୟୋଗୀ ଓ ଯୁବପିଢ଼ିଙ୍କ ପାଇଁ ରୋଜଗାର ଓ ଆତ୍ମନିଯୁକ୍ତିର ନୂଆ ଦ୍ୱାର ଖୋଲିବ।
ଏହି ପଦକ୍ଷେପ ରାୟଗଡ଼ ସହରର ଜୀବନଧାରାକୁ ଆହୁରି ସମୃଦ୍ଧ କରିବା ସହ ସହରର ସୌନ୍ଦର୍ଯ୍ୟ ଓ ଭିତ୍ତିଭୂମି ବିକାଶରେ ମଧ୍ୟ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା ପ୍ରକାଶ ପାଇଛି। ରାୟଗଡ଼ ପୌରପରିଷଦର ଏହି ପଦକ୍ଷେପକୁ ସହରବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।

