ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ )
ଆସନ୍ତା ଭାଦ୍ରବ ଶୁକ୍ଳ ଚତୁର୍ଥୀ ୧୪ ସେପ୍ଟେମ୍ବର (ସୋମବାର) ଦିନ ପଞ୍ଚମା ସ୍ଥିତ ସିଦ୍ଧ ବିନାୟକଙ୍କ ପୀଠରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ “ଶ୍ରୀ ବିନାୟକ ପର୍ବ” ପୂଜା ଉତ୍ସବ ଯଥାବିଧି ପାଳନ କରିବା ପାଇଁ ଏକ “ପ୍ରସ୍ତୁତି ବୈଠକ” ଅନୁଷ୍ଠିତ ହୋଇଯାଇଛି । ଏହି ସିଦ୍ଧ ବିନାୟକ ପୀଠ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିବାରୁ ଗଣେଶ ପୂଜା ଦିନ ଏଠାରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଗଣେଶ ପୂଜା ପୂର୍ବ ଦିନ ୧୩ ତାରିଖରେ ଅଷ୍ଟଶମ୍ଭୁ ମହାଦେବଙ୍କ ଦିବ୍ୟ ମିଳନ ଅପରାହ୍ନ ସମୟରେ ସିଦ୍ଧି ବିନାୟକ ପୀଠକୁ ଶୁଭାଗମନ କରିବେ ।

୧୪ ତାରିଖ ସୋମବାର ଦିନ ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହେବ । ଭକ୍ତଙ୍କ ସୁବିଧା ପାଇଁ ରଣ୍ଢା ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରତ୍ୟକ ଛକରେ ଆଶ୍ରୟସ୍ଥଳୀ ସହ ପାଣିର ବ୍ୟବସ୍ଥା ଏବଂ ଭକ୍ତଙ୍କ ଦର୍ଶନ ନିମନ୍ତେ ପ୍ରତ୍ୟେକ ଛକରେ ଏଲଇଡ଼ି ସ୍କ୍ରିନ୍ ର ବ୍ୟବସ୍ଥା କରାଯାଇଛି । ବୟୋଜ୍ୟେଷ୍ଠ ଏବଂ ଦିବ୍ୟାଙ୍ଗ ଭକ୍ତ ମାନଙ୍କ ପାଇଁ ରଣ୍ଢା ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ମାଗଣା ଗାଡ଼ି ବ୍ୟବସ୍ଥା କରାଯାଇଛି । ଏହାସହ ଭକ୍ତଙ୍କ ମାନଙ୍କ ନିମନ୍ତେ ମାଗଣା (ଫ୍ରି) ଦର୍ଶନ ଏବଂ ଲଡୁ ପ୍ରସାଦ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁବିଧା ଏବଂ ଶୃଂଖଳିତ ଯାତ୍ରା ନିମନ୍ତେ ମନ୍ଦିର ସମ୍ମୁଖରେ ସୂଚନା କେନ୍ଦ୍ର ସହ ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି । ପୂଜା ଦିନ ଓଡ଼ିଶା ସରକାରଙ୍କ ବହୁ ମନ୍ତ୍ରୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ସାଂସଦ ଏବଂ ବିଧାୟକ ମାନେ ପଞ୍ଚମା ସ୍ଥିତ ଏହି ସିଦ୍ଧ ପୀଠରେ ଶ୍ରୀ ବିନାୟକଙ୍କୁ ଦର୍ଶନ କରି ଆଶିର୍ବାଦ ନେବାର କାର୍ଯ୍ୟକ୍ରମ ରହିଛି । ପଞ୍ଚମା ଠାରେ ଅନୁଷ୍ଠିତ ଆଜିର ଏହି “ପ୍ରସ୍ତୁତି ବୈଠକରେ” ଶ୍ରୀ ଗଣେଶ ମନ୍ଦିର ଅନ୍ତରୀଣ ନ୍ୟାସ ପରିଚାଳନା କମିଟିର ଉପଦେଷ୍ଟା, ସଭାପତି, ଉପସଭାପତି, ସମ୍ପାଦକଙ୍କ ସମେତ ମନ୍ଦିର କମିଟିର ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

