ଖଣି ଲୁଟ ଲୁଚାଇବାକୁ ବିଜେଡିର କୁମ୍ଭୀର କାନ୍ଦଣା: ବିଜେପି

ବିଜେଡିକୁ ବିଜେପିର ପ୍ରଶ୍ନ ୨୪ ବର୍ଷରେ ବିଜୁ ବାବୁଙ୍କ ସ୍ୱପ୍ନ କେତେ ପୂରଣ କରିଲ?

ଭୁବନେଶ୍ୱର, ପ୍ରତିଫଳନ ମିଡ଼ିଆ
ରାଜ୍ୟର ଖଣିଜ ସମ୍ପଦକୁ ନେଇ ବିଜେଡିର ଆନ୍ଦୋଳନକୁ ତୀବ୍ର ସମାଲୋଚନା କରିଛି ବିଜେପି। ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ ଗତ ୨୪ ବର୍ଷର ଶାସନରେ ଖଣିଜ ସମ୍ପଦର ଲୁଟ୍‌ ଓ ଅନିୟମିତତାକୁ ଲୁଚାଇବା ପାଇଁ ବିଜେଡି ଏବେ ‘କୁମ୍ଭୀର କାନ୍ଦଣା’ କାନ୍ଦୁଛି।

ଏକ ପ୍ରେସ୍ ବିବୃତିରେ ବିଜେପି ନେତା ତ୍ରିପାଠୀ କହିଛନ୍ତି ଯେ ବିଜୁ ବାବୁଙ୍କ ନାମରେ ଦଳ ଗଠନ କରି ଦୀର୍ଘ ୨୪ ବର୍ଷ ଓଡିଶାରେ ଶାସନ କରିଥିବା ବିଜେଡି ଦଳ ତାଙ୍କ ସ୍ୱପ୍ନ କେତେଦୂର ପୂରଣ କରିଛି, ତାହାର ହିସାବ ରାଜ୍ୟବାସୀଙ୍କୁ ଦେବା ଉଚିତ। କୃଷି, ଶିକ୍ଷା, ଶିଳ୍ପ, ପର୍ଯ୍ୟଟନ ଓ ଖଣିଜ ସମ୍ପଦ ପରିଚାଳନା କ୍ଷେତ୍ରରେ ତତକାଳୀନ ବିଜେଡି ସରକାର ବିଫଳ ହୋଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଶାହ କମିଶନଙ୍କ ରିପୋର୍ଟକୁ ନେଇ ମଧ୍ୟ ବିଜେଡିକୁ ଘେରିଛି ବିଜେପି। ଖଣିଜ ସମ୍ପଦରେ ବ୍ୟାପକ ଅନିୟମିତତା ଅଭିଯୋଗ ସତ୍ତ୍ୱେ ତତ୍କାଳୀନ ସରକାର ଖଣି ମାଲିକ ଓ ମାଫିଆଙ୍କ ସ୍ୱାର୍ଥ ରକ୍ଷା କରିଥିବା ତ୍ରିପାଠୀ କହିଛନ୍ତି। ବାଲି, ଖଣି, ଗୋ ଓ ଭୂ-ମାଫିଆଙ୍କୁ ସୁରକ୍ଷା ଦିଆଯାଉଥିବାର ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଅର୍ଥକୁ ରାଜ୍ୟରେ ସଠିକ୍ ଭାବେ ବ୍ୟବହାର କରାଯାଇନଥିବା ଏବଂ କେତେକ ଯୋଜନାକୁ ରାଜ୍ୟ ସରକାର ନିଜ ନାମରେ ପ୍ରଚାର କରିଥିବା ସେ ଅଭିଯୋଗ କରିଛନ୍ତି।

ଖଣିଜ ରାଜସ୍ୱକୁ ନେଇ ବିଜେପିର ବଡ଼ ଦାବି

ବିଜେଡି ଶାସନ ସମୟରେ ଖଣିଜ ସମ୍ପଦରୁ ରାଜସ୍ୱ ପ୍ରାୟ ୫ ହଜାର କୋଟି ଥିବାବେଳେ ଏବେ ଏହା ୫୫ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ତ୍ରିପାଠୀ କହିଛନ୍ତି।ବିଜେଡି ଶାସନକାଳରେ ଅନ୍ୟ ଜିଲ୍ଲାରେ ଖଣିଜ ପାଣ୍ଠିର ବ୍ୟବହାର କରା ଯାଉଥୁଲା। ବିଜେପି ସରକାରକୁ ଆସିବା ପରେ ରାଜ୍ୟରେ
ଡିଏମ୍‌ଏଫ୍‌ ଅର୍ଥକୁ ଏବେ ଲୋକଙ୍କ କଲ୍ୟାଣରେ ବ୍ୟବହାର କରାଯାଉଥିବା ସେ ଦାବି କରିଛନ୍ତି।

ସୁକିନ୍ଦା ଅଞ୍ଚଳର କ୍ରୋମାଇଟ୍ ଖଣି ଲିଜ୍‌ ଅବଧି ଶେଷ ପରେ ତାହାକୁ ଓଏମ୍‌ସିକୁ ନଦେଇ ଘରୋଇ କମ୍ପାନୀକୁ କେଉଁ ସ୍ୱାର୍ଥରେ ଦିଆଗଲା ବୋଲି ବିଜେଡିକୁ ପ୍ରଶ୍ନ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ଆଇନକୁ ନେଇ ବିଜେଡି ଲୋକଙ୍କୁ ବିଭ୍ରାନ୍ତ କରୁଛି। ଖଣିଜ ସମ୍ପଦ ପ୍ରସଙ୍ଗରେ ଏହି ରାଜନୈତିକ ନାଟକବାଜି ରାଜ୍ୟବାସୀ ଗ୍ରହଣ କରିବେ ନାହିଁ, ବୋଲି ତ୍ରିପାଠୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Spread the love