ଚିରନିଦ୍ରାରେ ଗଣକବିଙ୍କ ମଞ୍ଚ ଅଭିନେତ୍ରୀ ହାରାମଣି ଦେବୀ
ପାଞ୍ଚ ଦଶନ୍ଧି ତଳେ ମଞ୍ଚରେ ନାରୀ ଅଭିନୟର ଦୃଢ଼ ପରିଚୟ ଦେଇଥିଲେ
ପ୍ରତିଫଳନ ମିଡ଼ିଆ
ଓଡ଼ିଆ ଗୀତିନାଟ୍ୟ ଜଗତର ପ୍ରସିଦ୍ଧ ନାଟ୍ୟକାର ଗଣକବି ବୈଷ୍ଣବ ପାଣିଙ୍କ ନାଟକରେ ଅଭିନୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମଞ୍ଚ ଅଭିନେତ୍ରୀ ହାରାମଣି ଦେବୀଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ କଳା, ସାହିତ୍ୟ ଓ ସାଂସ୍କୃତିକ ମହଲରେ ଶୋକ ପ୍ରକାଶ ପାଇଛି।
ପ୍ରାୟ ପାଞ୍ଚ ଦଶନ୍ଧି ତଳେ ନାରୀମାନଙ୍କ ମଞ୍ଚ ଅଭିନୟ ଏକ ବିରଳ ଘଟଣା ଥିବା ସମୟରେ ହାରାମଣି ଦେବୀ ମଞ୍ଚକୁ ଆସିଥିଲେ। ଗଣକବି ବୈଷ୍ଣବ ପାଣିଙ୍କ ବିଭିନ୍ନ ଗୀତିନାଟ୍ୟରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରଶଂସା ଲାଭ କରିଥିଲେ। ନିଜର ଅଭିନୟ ଦକ୍ଷତା ପାଇଁ ସେ ଗୀତିନାଟ୍ୟ ମଞ୍ଚରେ ଏକ ପରିଚିତ ନାମ ପାଲଟିଥିଲେ।
ମାହାଙ୍ଗା ବ୍ଲକ ପୋଡ଼ାମରାଇ ପଞ୍ଚାୟତ ଅନ୍ତର୍ଗତ ଏରକଣା ଗ୍ରାମର ହାରାମଣି ଦେବୀ କେବଳ ମଞ୍ଚ ଅଭିନେତ୍ରୀ ନଥିଲେ। ଗ୍ରାମର ମହିଳାମାନଙ୍କୁ ସଂଗଠିତ କରି ସ୍ୱୟଂସହାୟକ ଗୋଷ୍ଠୀ ଗଠନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସେ ପଞ୍ଚାୟତର ନାଏବ ସରପଞ୍ଚ ଓ ଏକାଧିକ ଥର ୱାର୍ଡ ସଭ୍ୟା ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।
କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ଗଭୀର ଆଗ୍ରହ ଥିଲା। ଆଧ୍ୟାତ୍ମିକ ଚେତନାସମ୍ପନ୍ନ ହାରାମଣି ଦେବୀ ସ୍ଥାନୀୟ ଅଞ୍ଚଳରେ ଜଣେ ସକ୍ରିୟ ସାମାଜିକ ବ୍ୟକ୍ତିତ୍ୱ ଭାବେ ମଧ୍ୟ ପରିଚିତ ଥିଲେ।
ତାଙ୍କର ତିନି ପୁଅଙ୍କ ମଧ୍ୟରୁ ଅଧ୍ୟାପକ ଡକ୍ଟର ଅଶୋକ କୁମାର ରାଉତ ଜଣେ ସାହିତ୍ୟିକ ଓ ସାରସ୍ୱତ ସଂଗଠକ। ଅନ୍ୟ ଦୁଇ ପୁଅ ହରେକୃଷ୍ଣ ଓ ପରମାନନ୍ଦ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ଅଛନ୍ତି।
ହାରାମଣି ଦେବୀଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନଙ୍କ ସମେତ ସାହିତ୍ୟିକ ଡକ୍ଟର ଯୁଧିଷ୍ଠିର ଖଟୁଆ, ଡକ୍ଟର ଜନାର୍ଦ୍ଦନ ରାଉତ, ଡକ୍ଟର ଭୁବନାନନ୍ଦ ସାହୁ, ଡକ୍ଟର ଭାବଗ୍ରାହୀ ରାଉତ, ଡକ୍ଟର ମନୋଜ କୁମାର ମିଶ୍ର, ନାଟ୍ୟକାର ଅଭୟ ଦାସ, ଡକ୍ଟର ଅଖିଳେଶ ମହାନ୍ତି, ଡକ୍ଟର ଏକାଦଶୀ ପ୍ରଧାନ, ବିଦୁଲତା ପ୍ରଧାନ, ଭକ୍ତଚରଣ ସାହୁ, ଗୌତମ ଜେନା, ରାଜକିଶୋର ମିଶ୍ର, ଡକ୍ଟର ଜୟରାମ ସ୍ୱାଇଁ, ଇଞ୍ଜିନିୟର ମନୋଜ ପାତ୍ର, ଡକ୍ଟର ଅମରେନ୍ଦ୍ର ମହାନ୍ତି, ବିଶ୍ୱେଶ୍ୱର ମହାନ୍ତି, ପ୍ରଶାନ୍ତ କର, ଅକ୍ଷୟ ଖଟୁଆ, ବିବେକାନନ୍ଦ ଦାସ, ବିଜୟ କୁଅଁର, ମନୋଜ ପଣ୍ଡା, ପ୍ରଫୁଲ୍ଲ କୁମାର ସାହୁ, ପ୍ରଫୁଲ୍ଲ ସିଂ, ଜତୀଞ୍ଜୟ କୁଅଁର, ନଳିନୀକାନ୍ତ ନାୟକ ଓ ସନ୍ତୋଷ ମହାପାତ୍ର ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ପୁରୀ ସ୍ୱର୍ଗଦ୍ୱାରରେ ହାରାମଣି ଦେବୀଙ୍କ ଅନ୍ତିମ ସତ୍କାର କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ଡକ୍ଟର ଅଶୋକ କୁମାର ରାଉତ ମୁଖାଗ୍ନି ଦେଇଥିଲେ।
ଗଣକବିଙ୍କ ଗୀତିନାଟ୍ୟ ମଞ୍ଚରେ ହାରାମଣି ଦେବୀଙ୍କ ଅଭିନୟ ଓ ତାଙ୍କର ସାମାଜିକ ଅବଦାନ ତାଙ୍କୁ ସ୍ମରଣୀୟ କରି ରଖିବ।
ରିପୋର୍ଟ -ମାହାଙ୍ଗାରୁ ଅଖିଳେଶ ପଦ ମହାନ୍ତି
