କୋରାପୁଟ ( ପ୍ରତିଫଳନ ମିଡ଼ିଆ )
କୋରାପୁଟ ଜିଲ୍ଲାର ଭାରତମାଳା ରାଜପଥ ପ୍ରକଳ୍ପ ଅନ୍ତର୍ଗତ ‘ଶାବର ଶ୍ରୀକ୍ଷେତ୍ର ଟନେଲ୍’ରେ ଆଧୁନିକ ଭିତ୍ତିଭୂମି ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳୁଛି । ଟନେଲ୍ର ପ୍ରବେଶପଥରେ ଲେଖାଯାଇଥିବା ଏହାର ନାମ ସହ ଭିତର ପାର୍ଶ୍ୱରେ ଥିବା କଳାତ୍ମକ ଚିତ୍ରଣ ଓ ସାଜସଜ୍ଜା ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ।

ଟନେଲ୍ର ପ୍ରବେଶଦ୍ୱାରରେ କୋରାପୁଟିଆ ପରମ୍ପରାର ଛାପ ବହନ କରୁଥିବା କଳା-ଧଳା ନକ୍ସା ଏବଂ ଭିତର କାନ୍ଥରେ ଥିବା ଚିତ୍ରକଳା ଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଆଧୁନିକ ଆଲୋକ ବ୍ୟବସ୍ଥା, ଯାନବାହନ ନିୟନ୍ତ୍ରଣ ପାଇଁ ସୁରକ୍ଷା ସଙ୍କେତ ଓ ସୁବ୍ୟବସ୍ଥିତ ରାସ୍ତା ସହ ଏହି ଟନେଲ୍ର ରୂପରେଖ ବିକାଶର ନୂଆ ଚିତ୍ର ଉପସ୍ଥାପନ କରୁଛି।

ଟନେଲର ଭିତର କାନ୍ଥରେ ଚିତ୍ରରେ ଚିତ୍ରରେ ଉଭୟ କୋରାପୁଟିଆ ଓ ଶାବର ଶ୍ରୀକ୍ଷେତ୍ର ସଂସ୍କୃତି ଝଲସି ଉଠୁଛି। ଟନେଲର ନାମ ‘ଶାବର ଶ୍ରୀକ୍ଷେତ୍ର’ ରଖା ଯାଇଥିବାରୁ କୋରାପୁଟର ଜନଜାତି ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ଅନ୍ତରଙ୍ଗ ସମ୍ପର୍କକୁ ମନେ ପକାଇଦେଉଛି। କୋରାପୁଟର ଆଦିବାସୀ ଐତିହ୍ୟ ଓ ଜଗନ୍ନାଥ ଭାବଧାରାର ଏହି ପରିଚୟ ଟନେଲ୍ର ନାମକରଣକୁ ଅଧିକ ଅର୍ଥପୂର୍ଣ୍ଣ କରିଛି।

ଆଜି ଏହି ଟନେଲ୍ ନିକଟରେ କିଛି ସମୟ ଗଣମାଧ୍ୟମ ପ୍ରତିନିଧି ଦଳ ବିତାଇବା ଏକ ସୁନ୍ଦର ଅନୁଭୂତି ଥିଲା। ରାସ୍ତା ଓ ସୁଡ଼ଙ୍ଗ ଭଳି ଆଧୁନିକ ନିର୍ମାଣରେ ନିଜ ମାଟିର ସଂସ୍କୃତି ଓ ପରିଚୟ ପ୍ରତିଫଳିତ ହେଉଥିବାରୁ ତାହା ଯାତାୟାତର ମାଧ୍ୟମ ସହ ଏଇ ଅଞ୍ଚଳର ଗୌରବ ଓ ପରିଚୟର ପ୍ରତୀକ ପାଲଟିଯାଇଛି। ଆଗାମୀ ଦିନରେ ଯାତ୍ରାକୁ ଆହୁରି ସୁଖମୟ କରିବ ବୋଲି ଆଶା କରାଯାଉଛି।
