ରାୟଗଡ଼ା ଜିଲ୍ଲାର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଗୁହା ପୁନମ ତାପସ କୁମାର
ରାୟଗଡ଼ା ଜିଲ୍ଲା ଶିଳ୍ପ ଓ ହସ୍ତଶିଳ୍ପର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ
ରାୟଗଡ଼ : (ପ୍ରତିଫଳନ ମିଡ଼ିଆ )
ରାୟଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍ ଗସ୍ତ କରି ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଥିଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ କମିଶନର-ତଥା-ଶାସନ ସଚିବ ଗୁହା ପୁନମ ତାପସ କୁମାର । ଜିଲ୍ଲା ନୋଡାଲ ସଚିବ ଭାବେ ଦୁଇ ଦିନିଆ ରାୟଗଡା ଜିଲ୍ଲା ଗସ୍ତକ୍ରମରେ ସେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ଏହାର ଉପଯୋଗିତା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଜିଲ୍ଲାର ସାମଗ୍ରିକ ବିକାଶ, ଆଦିବାସୀଙ୍କ ଜୀବିକା ବିକାଶ, ପାରମ୍ପରିକ କଳା ଓ ହସ୍ତଶିଳ୍ପର ସଂରକ୍ଷଣ ତଥା ଭିତ୍ତିଭୂମିର ଉନ୍ନତି ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ଗସ୍ତ ପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିହାର ରଞ୍ଜନ କହଁର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ରାୟଗଡ଼ ଉପଜିଲ୍ଲାପାଳ ମୃଣାଳିକା ରାଠୋଡ଼ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଅବଗତ କରାଇ ଥିଲେ। ବୈଠକରେ ଜିଲ୍ଲାର ପାରମ୍ପରିକ କଳା, ହସ୍ତଶିଳ୍ପ ଓ ଆଦିବାସୀ ଐତିହ୍ୟର ସଂରକ୍ଷଣ ସହ ଏହାକୁ ଜୀବିକାର ଏକ ପ୍ରମୁଖ ମାଧ୍ୟମ ଭାବେ ବିକଶିତ କରିବା ଉପରେ ଆଲୋଚନା ହୋଇଥିଲା

ଏହି ଅବସରରେ ଗୁହା ପୁନମ ତାପସ କୁମାର କହିଥିଲେ ଯେ ରାୟଗଡ଼ ଜିଲ୍ଲାରେ ଶିଳ୍ପ ଓ ହସ୍ତଶିଳ୍ପ ଉଭୟର ସହାବସ୍ଥାନ ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି। ଏହି ବିଶେଷତ୍ୱର ସଦୁପଯୋଗ କରି ଜିଲ୍ଲାର ଆର୍ଥିକ ବିକାଶ ଓ ସ୍ଥାନୀୟ ଲୋକଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ପାରମ୍ପରିକ ଶାଲ୍ କାପଡାଗନ୍ଦା, ସୌରାଙ୍କ ଇଡିତାଲ ଓ ତୁମ୍ବା ହସ୍ତଶିଳ୍ପକୁ ଆଧାର କରି ଏକ କ୍ରାଫ୍ଟ ଭିଲେଜ୍ ବା ହସ୍ତଶିଳ୍ପ ଗ୍ରାମ ପ୍ରତିଷ୍ଠା ସହ ପାରମ୍ପରିକ କଳାର ବଜାର ସଂଯୋଗୀକରଣ ଏବଂ କାରିଗରମାନଙ୍କ ଦକ୍ଷତା ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ, ଛାତ୍ରାବାସର ଭିତ୍ତିଭୂମି, ଖାଦ୍ୟ ବ୍ୟବସ୍ଥା ଓ କ୍ରୀଡ଼ା ସୁବିଧାର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା । ସେହିପରି ହସ୍ପିଟାଲ୍ଗୁଡ଼ିକର ଉନ୍ନତିକରଣ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସୁଦୃଢ଼ୀକରଣ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଗେଣ୍ଡୁ ଫୁଲ, ଆମ୍ବ, କଫି, ମାଣ୍ଡିଆ ଓ ସପୁରୀ ଆଦିର ଉତ୍ପାଦନ ବୃଦ୍ଧି, ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଏବଂ ବଜାର ସଂଯୋଗୀକରଣ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଆଲୋଚନା ହୋଇଥିଲା । ଜିଲ୍ଲାରେ କପା ଶିଳ୍ପ ପ୍ରତିଷ୍ଠାର ସମ୍ଭାବନା, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଦକ୍ଷତା ବିକାଶ, ଯୁବବର୍ଗଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।
