କୋଟିଆରେ ଆନ୍ଧ୍ର ପ୍ରଦେଶ ଆଦିବାସୀ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ 🔸ଆନ୍ଧ୍ରର ଦାଣ୍ଡିଗାଁ- ଓଡ଼ିଶା ନେରିଡିବାଲସା ଗ୍ରାମ ରାସ୍ତାର କଲେ ଉଦଘାଟନ🔸

କୋରାପୁଟ ( ପ୍ରତିଫଳନ ମିଡ଼ିଆ )

ଓଡ଼ିଶାର କୋଟିଆ ସୀମାନ୍ତ ଗାଁ ନେରେଡି ଵାଲାସା ଗସ୍ତରେ ଆସି ମହିଳା ସମାବେଶ ରେ ଯୋଗଦେଲେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗ ମନ୍ତ୍ରୀ ଜି ସନ୍ଧ୍ୟା ରାଣୀ। ଓଡିଶା ସୀମାରେ  ଅନୁପ୍ରବେଶକରି ସରକାରୀ କାର୍ଯ୍ୟକ୍ରମ କରି ଓଡ଼ିଶାର କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ କୋଟିଆ ପଂଚାୟତ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ  ଆନ୍ଧ୍ର ସରକାରଙ୍କ ଲୋକାଭିମୁଖୀ ଜନହିତକର ଲୋଭନୀୟ ଯୋଜନାଗୁଡିକ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଲୋଭନୀୟ ପ୍ରତିଶ୍ରୁତି ଦେଇ ଆନ୍ଧ୍ରରେ ରହିବା ପାଇଁ ଭାଷଣ ଦେଇ  ପ୍ରଲୋଭିତ କରିବାକୁ ଉଦ୍ୟମ କରିଥିଲେ। ଏଣେ ଓଡିଶା ପକ୍ଷରୁ ସ୍ଥାନୀୟ ପ୍ରଶାସନ ଏହାକୁ ରୋକିବାକୁ କିଛି ବି ଉଦ୍ୟମ କରି ନଥିଲା। 

ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଆନ୍ଧ୍ର ସରକାରଙ୍କ ଜନହିତକର ଯୋଜନା ଗୁଡିକର ସୁଫଳ ନେବାକୁ ଲୋକଙ୍କୁ ସେ କହିଥିଲେ। ଆଖ ପାଖ ଗ୍ରାମର ଲୋକଙ୍କୁ ବିଭିନ୍ନ ଗାଡ଼ିରେ ଆଣି ସମାବେଶ କରିଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଜି ସନ୍ଧ୍ୟାରାଣୀ ନିଜ ବିଭାଗୀୟ ଅଧିକାରୀ ଏବଂ ପୋଲିସ ଫୋର୍ସ ନେଇ ଓଡ଼ିଶାର ନେରିଡିବାଲସା ଗ୍ରାମରେ ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଏକାଠି କରି ସଭା କରିଥିଲେ । ଓଡିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ଦାଣ୍ଡିଗାଁଠାରୁ ଓଡ଼ିଶାର ନେରିଡିବାଲସା ଗ୍ରାମ ପର୍ଯ୍ୟନ୍ତ ଆବଶ୍ୟକ ରହିଥିବା ରାସ୍ତାର ଉନ୍ନତିକରଣ କାମ ସମ୍ପୂର୍ଣ ହୋଇଥିବା ସାଢ଼େ ୫ କିଲୋମିଟର ରାସ୍ତାକୁ ଉଦ୍‌ଘାଟନ କରିଥିଲେ। ସୀମାନ୍ତ  

 ଗ୍ରାମବାସୀଙ୍କ  ଦୀର୍ଘବର୍ଷର ଦାଵୀ ପୂରଣ କରାଯାଇଛି ଓ ଲୋକଙ୍କ ପାଇଁ ପକ୍କା ରାସ୍ତା ନିର୍ମାଣ କରାଯାଇଛି।ରାସ୍ତା ଉନ୍ନତିକରଣ ପାଇଁ ୧ କୋଟି ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ କହିଥିଲେ। ସୀମାନ୍ତ ଗାଁ ଗୁଡିକର ବିକାଶ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆଗକୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଲୋକଙ୍କୁ ଭାଷଣ ଜରିଆରେ  କହିଥିଲେ। 

ଓଡ଼ିଶାର କୋଟିଆ ପଂଚାୟତର ବିବାଦୀୟ ଗ୍ରାମ ଗଞ୍ଜେଇପଦର, ଫାଟୁସିନେରି, ଫଗୁଣସିନେରି, ତାଡିବାଲସା, ନେରିଡିବାଲସା ସମେତ ଅନ୍ୟ ଗ୍ରାମବାସୀମାନେ ଆନ୍ଧ୍ର ମନ୍ତ୍ରୀଙ୍କ ସଭାରେ ଉପସ୍ଥିତ ଥିଲେ। ପୂର୍ବ ସରକାରରେ ରହିଥିବା ଆନ୍ଧ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରାଜନା ଦୋରାଙ୍କୁ ଏନେଇ ଅନେକ ଦାବି ଜଣାଇଥିଲେ ମଧ୍ୟ ସେହି ଦାବି ପୂରଣ ହୋଇ ପାରି ନ ଥିଲା।  ବର୍ତ୍ତମାନର ତେଲୁଗୁଦେଶମ ସରକାର ରାସ୍ତା ନିର୍ମାଣ କରିଥିବାରୁ ଲୋକେ ଧନ୍ୟବାଦ ଜଣାଇଥିଲେ। ଗୃହହୀନ ଗରୀବ ଲୋକମାନଙ୍କୁ ପକ୍କା ଗୃହ ଯୋଗାଇଦେବାକୁ ମଧ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କ  କାର୍ଯ୍ୟକ୍ରମରେ ପାର୍ବତୀପୁରମ ମାନ୍ୟମ ଜିଲାର ସାଲୁର୍‌ ବିଡ଼ିଓ, ତହସିଲଦାର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଆନ୍ଧ୍ର ସରକାର ପକ୍ଷରୁ କୋଟିଆ ଦାଖଲ ନେଇ ଗତ 2018 ମସିହାରୁ ଅଭିଯାନ ଜୋରଦାର କରାଯାଇଥିଲା। 2018 ମସିହା ଜାନୁୟାରୀ 9 ତାରିଖ ଦିନ ବିଜୟନଗର ଜିଲ୍ଲାର ଜିଲ୍ଲପାଳ ନିଜର ଅଧିକାରୀ ଓ ଆନ୍ଧ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ସଦଳବଳେ କୋଟିଆ ଗସ୍ତ କରି ଆନ୍ଧ୍ର ସରକାରଙ୍କ ଜନ୍ମ ଭୂମି କାର୍ଯ୍ୟକ୍ରମ ପାଳନ କରିବାକୁ ଆସି ସ୍ଥିତି ଅନୁଧ୍ୟାନ କରି ନେରେଡି ଵାଲାସା ଦେଇ ଆନ୍ଧ୍ର ଫେରିଯାଇଥିଲେ। କୋଟିଆ ଉପରେ ଆନ୍ଧ୍ର ଅଧିକାରୀଙ୍କ ଲୋଲୁପ ଦୃଷ୍ଟି ରହିଥିବା ସନ୍ଦେହ କରି  କୋରାପୁଟର ଗଣମାଧ୍ୟମର ପ୍ରତିନିଧିମାନେ ଖବର ପ୍ରସାରଣ କରି କୋଟିଆର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡିଶା ସରକାର ଓ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ 250ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ଖର୍ଚ୍ଚ କରାଯାଇ କୋଟିଆ ପଂଚାୟତର ଭିତିଭୂମିର ବିକାଶ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ସହ ହସ୍ପିଟାଲ, ସ୍କୁଲ, ବ୍ୟାଙ୍କ, ଥାନା, ଆଦିବାସୀ ହଷ୍ଟେଲ, କ୍ଲଷ୍ଟର ହାଉସ ଆଦି ନିର୍ମାଣ କରାଯାଇଛି। ଗ୍ରାମ ଗୁଡିକୁ  ବିଦ୍ୟୁତ କରଣ କରାଯାଇଛି। ତଥାପି ସୁପ୍ରିମକୋର୍ଟରେ ମାମଲା ରହିଥିବା ଆଳ ଦେଖାଇ ଆନ୍ଧ୍ର ସରକାର କ୍ରମାଗତ ଭାବେ କୋଟିଆରେ ଅନୁପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଓଡିଶା ସରକାରଙ୍କ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, କୃଷି ଓ ଶକ୍ତି ମନ୍ତ୍ରୀମାନେ ଗସ୍ତ କରି କୋଟିଆବାସୀଙ୍କ ସହ ଆଲୋଚନା କରି ଲୋକଙ୍କ ମଧ୍ୟରେ ଆସ୍ଥା ଓ ଭରସା ସୃଷ୍ଟି କରିବାକୁ ଉଦ୍ୟମ କରି ଆସୁଛନ୍ତି।

ଆନ୍ଧ୍ର ମନ୍ତ୍ରୀଙ୍କ ଏଭଳି ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଆମ କୋଟିଆ ସଂଗଠନ ତୀବ୍ର ବିରୋଧ କରିଛି। ଆନ୍ଧ୍ରର ଦାଣ୍ଡିଗାଁ ଠାରେ ଉଦଘାଟନି ସମାବେଶ କରିବା କଥା ତାହା ନ କରି ନେରେଡି ଵାଲାସାଠାରେ ସମାବେଶ କରିବା ଆନ୍ଧ୍ର ସରକାରଙ୍କ ହୀନ ଚକ୍ରାନ୍ତ ରହିଥିବା ସ୍ପଷ୍ଟ ହୋଇଯାଇଛି। ଏହାକୁ ସବୁ ସ୍ତରରେ ବିରୋଧ କରିବା ଆବଶ୍ୟକତା ରହିଛି। ଆନ୍ଧ୍ର ଅଧିକାରୀ ଓ ନେତାଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ଓଡିଶା ସରକାର, ଓଡିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିଆ କୁ ସଂଯୋଗ କରୁଥୁବା ସମସ୍ତ ରାସ୍ତାର ସୀମାନ୍ତ ପ୍ରବେଶ ପଥରେ ଫାଟକ ନିର୍ମାଣ କରିବାକୁ ଆମ କୋଟିଆ ସଂଗଠନର ଆବାହକ ଗଦାଧର ପରିଡା,ସହ ଆବାହକ କୀର୍ତ୍ତି ଚନ୍ଦ୍ର ସାହୁ,ଅଜିତ କୁମାର ପାତ୍ର, ବିଦ୍ୟାଧର ଚୌଧୁରୀ, ଶରତ ପଟନାୟକ, ସିଏଚ ଶାନ୍ତକାର, ଆଇନଜୀଵୀ ଗୁପ୍ତ ପ୍ରସାଦ ଦାସ ସମେତ ଉତ୍କଳ ସମ୍ମିଳନୀ ପକ୍ଷରୁ ବିନୋଦ କୁମାର ପାତ୍ର, କରସୁଧା ପଟନାୟକ,ଵାଲା ରାୟ ପ୍ରମୁଖ ଦାବୀ କରିଛନ୍ତି। ଉତ୍କଳ ଭୂମିର ସୁରକ୍ଷା ପାଇଁ କୋରାପୁଟ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକମାନେ ଓ ନିର୍ବାଚିତ ଲୋକ ପ୍ରତିନିଧିମାନେଏକାଠି ହୋଇ ଆନ୍ଧ୍ର ର ଏଭଳି ଅନୁପ୍ରବେଶ କୁ ଦୃଢ଼ ବିରୋଧ କରିବାକୁ ଆମ କୋଟିଆ ସଂଗଠନ ନିବେଦନ କରିଛି।

Spread the love