ଗୁଣପୁର (ପ୍ରତିଫଳନ ମିଡ଼ିଆ )
ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ଦେହାନ୍ତ। କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
ଗୁଣୁପୁରରେ ଅଣ କଂଗ୍ରେସ ରାଜନୀତିର ଭିତ୍ତି ସଂସ୍ଥାପକ ଥିଲେ
୧ ମାର୍ଚ୍ଚ ୧୯୫୧ରେ ଓମୋଡିଙ୍ଗିର ଦାସା ଗମାଙ୍ଗଙ୍କ ଘରେ ସେ ଜନ୍ମ ଲାଭ କରିଥିଲେ। ବି.କମ . ଡିଗ୍ରୀ ହାସଲ କରିବା ପରେ ସେ ସମାଜସେବା ଏବଂ ନିରକ୍ଷରତା ଦୂରୀକରଣରେ ନିଜକୁ ଉତ୍ସର୍ଗ କରିଥିଲେ। ବୃତ୍ତିରେ ଜଣେ ଚାଷୀ ଭାବରେ ସେ ଯୁବା ବୟସରେ ସାର୍ବଜନୀନ ଜୀବନରେ ଯୋଗ ଦେଇଥିଲେ। ସେ ୧୯୮୪ ମସିହାରେ ରାମନାଗୁଡ଼ା ବ୍ଲକର ଅଧ୍ୟକ୍ଷ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବିଜୁ ବାବୁଙ୍କ ଆହ୍ବାନ କ୍ରମେ ଷ୍ଟେଟ ବ୍ୟାଙ୍କ ଚାକିରୀ ଛାଡି ୧୯୯୦ ମସିହାରେ ଜନତା ଦଳର ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରି ସେ ଗୁଣୁପୁର (ସଂ) ନିର୍ବାଚନମଣ୍ଡଳୀରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟାଣୁଆ ନେତା କଂଗ୍ରେସ ଦଳର ଭାଗୀରଥି ଗମାଙ୍ଗଙ୍କୁ ବିପୁଳ ଭୋଟରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲେ। ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ସେ କଂଗ୍ରେସ ରାଜନୀତିର ବିଜୟ ଧାରାକୁ ଭାଂଗି ଅଣକଂଗ୍ରେସ ରାଜନୀତିର ଭିତ୍ତି ସ୍ଥାପନ କରିଥିଲେ । ଗୁଣୁପୁରରେ ଅଣ କଂଗ୍ରେସ ରାଜନୀତିର ଭିତ୍ତି ସଂସ୍ଥାପକ ଥିଲେ ।୧୯୯୫ ମସିହାରେ ରାଜ୍ୟ ବିଧାନସଭା ନିର୍ବାଚନରେ ସେ ଗୁଣୁପୁର (ସଂ) ନିର୍ବାଚନମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଅକ୍ଷୟ କୁମାର ଗମାଙ୍ଗଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୦୦ ମସିହାରେ ରାଜ୍ୟ ବିଧାନସଭା ନିର୍ବାଚନରେ ସେ ଗୁଣୁପୁର (ସଂ) ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ବିଜୟୀ ହୋଇଥିଲେ ଏବଂ ତାଙ୍କର ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଭାଗୀରଥି ଗାମାଙ୍ଗଙ୍କୁ ପୁନର୍ବାର ବହୁ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ୨୦୦୪ ମସିହାରେ ରାଜ୍ୟ ବିଧାନସଭା ନିର୍ବାଚନରେ ସେ ଗୁଣୁପୁରରୁ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ହେମାବତୀ ଗମାଙ୍ଗଙ୍କ ଠାରୁ ପରାସ୍ତ ହୋଇଥିଲେ। ପରେ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଥିଲେ। ଗୁଣୁପୁର ନିର୍ବାଚନ ମଣ୍ଡଳୀର ବିକାଶରେ ତାଙ୍କ ଅବଦାନ ସଦା ସ୍ମରଣୀୟ ହୋଇ ରହିବ । ଏକ ପ୍ରଗତିଶୀଳ ଗୁଣୁପୁର ନିର୍ବାଚନ ମଣ୍ଡଳୀ ଗଠନ ଦିଗରେ ରାମମୂର୍ତ୍ତିଙ୍କ ଅବଦାନ ଅତୁଳନୀୟ। ନିର୍ବାଚନ ମଣ୍ଡଳୀର ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ,ଜଳସେଚନ, ବିଦ୍ୟୁତ କରଣ,ଯୋଗାଯୋଗ ଭଳି ବିବିଧ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେ ସଦଗୁରୁ ଅର୍ଜ୍ଜୁନଙ୍କ ଅନୁଗାମୀ ସହ ଆଧ୍ୟାତ୍ମିକ ପ୍ରବଚକ ବି ଥିଲେ। ତାଙ୍କ ଧର୍ମ ପତ୍ନୀ ଶଶୀରେଖା ଗମାଙ୍ଗଙ୍କ ଭୁବନେଶ୍ୱର ୟୁନିଟ 4 ବିଧାୟକ ସରକାରୀ ବାସ ଭବନରେ ସନ୍ଦେହଜନକ ମୃତ୍ୟୁକୁ ନେଇ ସେ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ।ସମ୍ପର୍କୀୟଙ୍କ ପକ୍ଷରୁ କୌଣସି ଅଭିଯୋଗ ନଥିବା ସତ୍ୱେ ଶବ ବ୍ୟବଚ୍ଛେଦର ଫରେନସିକ ରିପୋର୍ଟ ଆଧାରରେ ଶେଷରେ ହାଇକୋର୍ଟଙ୍କ ଦ୍ୱାରା ଦୀର୍ଘ ବର୍ଷ ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ହେତୁ ସେ ଭୁବନେଶ୍ୱର ଲକ୍ଷ୍ମୀସାଗର ଜେଲ ରେ ବନ୍ଦୀ ଜୀବନ ବିତାଉଥିଲେ। ଗତକାଲି ଦେହ ଅସୁସ୍ଥ ହେବା ପରେ କଟକ ବଡ଼ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଭୋର ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ଖବର ପ୍ରଚାରିତ ହେବା ପରେ ଗୁଣୁପୁର ନିର୍ବାଚନ ମଣ୍ଡଳୀ ସମେତ ରାୟଗଡା, ଭୁବନେଶ୍ୱର ର ବହୁ ସମର୍ଥକ, ଅନୁଗାମୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

