ଦାଦାର ଜମି ହଡପ କଲା ପୁତୁରା🔷 ସନ୍ଦେହରେ ରାଜସ୍ବ ନିରୀକ୍ଷକ 🔷 ତଦନ୍ତ ନିର୍ଦ୍ଦେଶ ଦେଲେ ରାୟଗଡା ଉପଜିଲ୍ଲାପାଳ 

ରାୟଗଡା (ପ୍ରତିଫଳନ ମିଡ଼ିଆ )

କାଶୀପୁର ଏବେ ପୁଣି ଚର୍ଚାରେ !ନିଜ ବୃଦ୍ଧ ଦାଦାଙ୍କୁ ମୃତ ଦର୍ଶାଇ ଜମି ହଡପ କରିଛି ପୁତୁରା । ଏପରି ଘଟଣା ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ତଳପାଡିଖାଲ ଗ୍ରାମରେ ଘଟିଛି । ରାଜସ୍ବ ନୀରିକ୍ଷକଙ୍କୁ ହାତ କରି ପୁତୁରା ସାନୀ ମାଝୀ ଦାଦା ଦିଉଡୁ ମାଝୀଙ୍କ 49 ସେଣ୍ଟ୍ ଜମିକୁ ହଡପ କରିଥିବା ଅଭିଯୋଗ ହୋଇଛି । କାଗଜପତ୍ରରେ ଦିଉଡୁକୁ ମୃତ ଦର୍ଶାଇ ଜମିକୁ ହଡପ କରାଯାଇଥିବା ବେଳେ ଦିଉଡୁ ଏବେ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । କାଶୀପୁର ତଦସିଲଦାରଙ୍କୁ ଦିଉଡୁ ଏକ ଲିଖିତ ଅଭିଯୋଗ କରିବା ପରେ ରାୟଗଡା ଉପଜିଲ୍ଲାପାଳଙ୍କୁ ଜମି ଫେରାଇବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଜୀବିତ ଲୋକଙ୍କୁ ମୃତ ଦର୍ଶାଇଥିବା ରାଜସ୍ବ ନୀରିକ୍ଷକଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । 

କାଶୀପୁରରେ ଅଜବ ଘଟଣା । ଜୀବିତ ବୃଦ୍ଦ ଦାଦାଙ୍କୁ ମୃତ ଦର୍ଶାଇ ଜମି ହଡପ କରିଛି ପୁତୁରା । ତଳପାଡିଖାଲ ଗ୍ରାମରେ ବୃଦ୍ଧ ଦିଉଡୁ ମାଝୀଙ୍କ ପ୍ଲଟ୍ ନଂ.99 ଓ ପ୍ଲଟ୍ ନଂମ୍ବର 100ରେ 49 ସେଣ୍ଟ୍ ଜମି ରହିଛି । ହେଲେ ଉକ୍ତ ଜମିକୁ ଦିଉଡୁର ପୁତୁରା ସାନୀ ମାଝି ଚଞ୍ଚକତା କରି 2024 ମସିହାରେ ହଡପ କରିଛି । ଆଉ ଏହି ଚଞ୍ଚକତା ପଛରେ ରାଜସ୍ବ ନିରିକ୍ଷକଙ୍କ ହାତ ରହିଥିବା ଅଭିଯୋଗ ହୋଇଛି । ଦିଉଡୁଙ୍କ ବଡ ଭାଇ ଡିରିବି ମାଝୀ ମୃତ୍ୟୁବରଣ କରିଥିବା ବେଳେ ଦାଦା ଦିଉଡୁ ଏବେ ବି ଜୀବିତ ଅଛନ୍ତି । ଏହି ଦୁଇ ଭାଇଙ୍କ ନାମରେ ଜମି ରହିଥିବା ବେଳେ ସାନୀ ମାଝୀ ନିଜ ନାମରେ ଉତ୍ତରାଧିକାରୀ ସତ୍ତ୍ବ ରିପୋର୍ଟ ଦେଇ ନିଜ ନାମରେ ପଟା କରାଇନେଇଛନ୍ତି । ଏନେଇ ଦିଉଡୁ ମାଝୀ କାଶୀପୁର ତହସିଲଦାରଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରିଥିବା ବେଳେ ରାୟଗଡା ଉପଜିଲ୍ଲାପାଳଙ୍କ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଛନ୍ତି ।

ମ୍ୟୁଟେସନ୍ କେସ୍ ନଂମ୍ବର 566/2024 ମସିହାରେ ଜମି ନିଜ ମାଲିକାନାକୁ ନେବା ପାଇଁ ସାନୀ ମାଝୀ ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ । ଏନେଇ ତତ୍କାଳୀନ ରାଜସ୍ବ ନିରୀକ୍ଷକ କେସବ ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ତେବେ ରାଜସ୍ବ ନିରିକ୍ଷକଙ୍କ ଦାୟିତ୍ବହୀନ କାର୍ଯ୍ୟ ଯୋଗୁଁ ରିପୋର୍ଟରେ ଦିଉଡୁ ମାଝୀଙ୍କୁ ମୃତ ଘୋଷଣା କରାଯାଇଥିଲା । ପରବର୍ତ୍ତି ସମୟରେ ସାନି ମାଝୀ ନିଜ ନାମରେ ଜମି ପଟ୍ଟା କରାଇନେଇଥିଲେ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଏବେ ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟଶୈଳୀ  ସନ୍ଦେହଘେରକୁ ଆସିଛି । ଅନ୍ୟପଟେ ଘଟଣାର ଅନୁଧ୍ୟାନ କରାଯାଇ ଦୋଷୀ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡା ଉପଜିଲ୍ଲାପାଳ ରମେଶ କୁମାର ଜେନା ସୂଚନା ଦେଇଛନ୍ତି ।

Spread the love