(ପ୍ରତିଫଳନ ମିଡିଆ)
ଗୋପାଳପୁର- ଜୟପୁର ଆର୍ଥିକ କରିଡର କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କଲେ ଆଦାନୀ ଗ୍ରୁପ । ଆଦାନୀ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ କରନ ଆଦାନୀ ଏକ ଚିଠି ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପିଏମ ଗତିଶକ୍ତି ଯୋଜନା ଜରିଆରେ ଏହି କରିଡର ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ଠାରେ ନିବେଦନ କରିଛନ୍ତି । କଂପାନୀ ପକ୍ଷରୁ ତ୍ୱରିତ ବେଗରେ କାର୍ଯ୍ୟ କରି ଏହି ପ୍ରକଳ୍ପର କାମକୁ ସମାପନ କରିବାକୁ ସେ ଚିଠିରେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସେଥିପାଇଁ ସେ ବିକଳ୍ପ ପ୍ରସ୍ତାବ ମଧ୍ୟ ସରକାରଙ୍କ ନିକଟରେ ରଖିଛନ୍ତି । ରାଜ୍ୟ ସରକାରଙ୍କଠାରେ ଜୟପୁର- ଗୋପାଳପୁର ଚାରି ଲାଇନ ରାଜରାସ୍ତା ନିର୍ମାଣ ଲାଗି ଆଗ୍ରହ ଦେଖାଇଛନ୍ତି। କେବଳ ସେତିକି ନୁହେଁ ଏହି ଆର୍ଥିକ କରିଡର ଅନ୍ତର୍ଗତ ରାସ୍ତା ନିର୍ମାଣ ପରେ ଭବିଷ୍ୟତରେ ଏହି ଅଞ୍ଚଳରେ ଛଅ ଲାଇନ ରାସ୍ତା, ଦୁଇ ଲାଇନ ବିଶିଷ୍ଟ ନୂତନ ରେଳ ରାସ୍ତା, ପାଇପଲାଇନ ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ ପକଳ୍ପ ଲାଗି ଏକ ସମୟରେ ୨୦୦ଫୁଟ ଓସାର ବିଶିଷ୍ଟ ରାସ୍ତା ନିର୍ମାଣ ହେବ। ଜମି ଅଧିଗ୍ରହଣ ଲାଗି ପ୍ରସ୍ତାବ ଦେଇଛି କଂପାନୀ । ଏହାଦ୍ବାରା ଗଞ୍ଜାମ ସହ ରାୟଗଡ଼ା, କୋରାପୁଟ, ମାଲକାନଗିରି , ନବରଙ୍ଗପୁର ଏବଂ ପଶ୍ଚିମ ଓଡିଶାର ଅନେକ ଜିଲ୍ଲା ସିଧାସଳଖ ଲାଭବାନ ହେବେ ବୋଲି ଚିଠିରେ ଦର୍ଶାଇଛନ୍ତି । ଯାତାୟାତର ସମୟସୀମା କମିଯିବ ଏବଂ ନଅ ଘଣ୍ଟାରୁ କମି ମାତ୍ର ସାଢ଼େ ତିନି ଘଣ୍ଟାରେ ଜୟପୁର -ଗୋପାଳପୁରକୁ ଯାତାୟାତ ସମ୍ଭବ ହୋଇପାରିବ ବୋଲି ଦର୍ଶାଯାଇଛି । ଏହି କରିଡର ଅନ୍ତର୍ଗତ ଅଞ୍ଚଳରେ ମାଲ ପରିବହନ, ଗମନାଗମନ, ଶିକ୍ଷା, ସ୍ଵାସ୍ଥ୍ୟ, ଶିଳ୍ପରେ ଅପୂର୍ବ ଅଭିବୃଦ୍ଧି ପରିଲକ୍ଷିତ ହେବ । ଏହି ଅଞ୍ଚଳର ଲୋକଙ୍କ ରୋଜଗାର ବୃଦ୍ଧି ସହ ଅଦ୍ଭୂତପୂର୍ବ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ ବୋଲି ସୁନେଲି ସ୍ବପ୍ନ ଦେଖେଇଛି ଆଦାନୀ ଗ୍ରୁପ ।
◆ବୁଟ ମଡେଲ ଆପଣେଇବାକୁ ଆଦାନୀ କଂପାନୀର ପ୍ରସ୍ତାବ
◆ରାୟଗଡ଼ା ବୁଦ୍ଧିଜୀବୀ ଫୋରମ ପକ୍ଷରୁ ପୂର୍ବରୁ ଦିଆ ଯାଇଥିଲା ଦାବୀ ପତ୍ର
ବୁଟ ମଡେଲରେ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ଚିଠିରେ ମଧ୍ୟ ଉଲ୍ଲେଖ କରିଛନ୍ତି । Boot (building, own, operate, transfer ) ମଡେଲରେ ସରକାରୀ ଓ ଘରୋଇ କମ୍ପାନୀ ଭାଗିଦାରୀରେ ହେବାକୁ ଥିବା ପ୍ରକଳ୍ପ ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ନିର୍ମାଣ ଓ ପରିଚାଳନା ଲାଗି କମ୍ପାନୀ ସମସ୍ତ ଖର୍ଚ୍ଚ ବହନ କରି ଗୁଣବତ୍ତାସମ୍ପନ୍ନ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ସମାପନ କରିବ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କୁ ଆର୍ଥିକ କରିଡର ହସ୍ତାନ୍ତର କରିବ । ଏହି କରିଡର ନିର୍ମାଣ ହେଲେ ନୂଆ ନିବେଶଙ୍କ ପାଇଁ ଦ୍ଵାର ଖୋଲିବ । ଅନେକ କଂପାନୀ ଏହି ଅଂଚଳରେ କଂପାନୀ ସ୍ଥାପନ ଲାଗି ଆଗ୍ରହ ପ୍ରକଟ କରିବେ ଏବଂ ଏହା ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ବେଶ ସହାୟକ ହୋଇପାରିବ ବୋଲି ଚିଠିରେ ଆଦାନୀ ଦର୍ଶାଇଛନ୍ତି । ନୂଆ ସରକାର ଏହି ପ୍ରକଳ୍ପର ଗୁରତ୍ବକୁ ବିଚାର ପୂର୍ବକ ବୁଟ ମଡେଲରେ କାର୍ଯ୍ୟକାରୀ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ଏଥିପାଇଁ ଆଦାନୀ ଗ୍ରୁପ ପ୍ରସ୍ତୁତ ଥିବା ମଧ୍ୟ ଉଲ୍ଲେଖ ରହିଛି । ଉଲ୍ଲେଖଯୋଗ୍ୟ ଯେ ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳରେ ଆଦାନୀକୁ ଏକ ବସ୍ତ୍ର ଉତ୍ପାଦନ ପ୍ରକଳ୍ପ ଲାଗି ସରକାର ଅନୁମତି ଦେଇଛନ୍ତି । ଏହା ପରେ ଆଦାନୀ ପକ୍ଷରୁ ଏହି ଆର୍ଥିକ କରିଡର ପ୍ରକଳ୍ପ ନିର୍ମାଣ ଲାଗି ଆଗ୍ରହ ଦେଖାଇବା ଏକ ଚର୍ଚ୍ଚାର ବିଷୟ ହୋଇଛି ।
ଏହି ପ୍ରକଳ୍ପ ଦ୍ବାରା ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ବଦଳିବ ଭାଗ୍ୟ। ଗାଁ ଲୋକେ ଗାଡ଼ି ଗୁଡ଼ିକର ଘାଁ ଗଡର ଶବ୍ଧ ରକ୍ଷା ପାଇବେ । ଧୂଳି ଧୂସର ରୁ ରକ୍ଷା ମିଳିବ । ସୂଚନାଯୋଗ୍ୟ ଯେ ରାୟଗଡ଼ାର ବୁଦ୍ଧିଜୀବି ଫୋରମ ପକ୍ଷରୁ ପ୍ରଭାକର ଦୋରା, କୀର୍ତ୍ତିଚନ୍ଦ୍ର ସାହୁ , ବିଜେପି ଯୁବମୋର୍ଚ୍ଚା ନେତା ନଚିକେତା ସାହୁ ପ୍ରମୁଖ କିଛି ମାସ ପୂର୍ବେ ମାଲ ପରିବହନ ଓ ଯୋଗାଯୋଗ ପାଇଁ ଗୋପାଳପୁର ବନ୍ଦର ସହରକୁ ଯୋଗାଯୋଗ କରିବାକୁ ଉଭୟ ରେଳପଥ ନିର୍ମାଣ ଓ ଉନ୍ନତମାନର ଅତ୍ୟାଧୁନିକ ସ୍ଵତନ୍ତ୍ର ସଡ଼କ ପଥ ନିର୍ମାଣ କରିବା ସକାଶେ ପ୍ରଧାନମନ୍ତ୍ରୀ ଓ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ସାଂସଦଙ୍କ ଜରିଆରେ ପ୍ରାପ୍ତ ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ଆର୍ଥିକ କରିଡର ନିର୍ମାଣ ଲାଗି ଆଗ୍ରହ ଦେଖାଇଛନ୍ତି । ସେହିପରି ଆଦାନୀ ଗ୍ରୁପ ପକ୍ଷରୁ ସରକାରଙ୍କୁ ସମାନ ପ୍ରସ୍ତାବ ଦେଇଛନ୍ତି । ଖୁବ ଶୀଘ୍ର ଆର୍ଥିକ କରିଡର କାମ ଆଗେଇବ ବୋଲି ଜଣାପଡିଛି ।