ସୂଚନା ଲୁଚାଇଲେ ଅଂଚଳର ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ -କୋରାପୁଟ ଏସପି
ପ୍ରତିଫଳନ ମିଡ଼ିଆ
କୋରାପୁଟ: ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଗଞ୍ଜେଇ ଚାଷ ଓ ଚୋରା କାରବାର ବିରୋଧରେ କୋରାପୁଟ ପୁଲିସ ଅଭିଯାନକୁ ଆହୁରି ଜୋରଦାର କରିଛି। ଗଞ୍ଜେଇ ଚାଷ ଠାବ କରିବା ସହ ଚାଷ ନଷ୍ଟ କରାଉଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଗିରଫଦାରୀ ଜାରି ରହିଛି।
କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ଦିସାରିଗୁଡ଼ା ଓ ଲେଞ୍ଜିଗୁଡ଼ା ଜଙ୍ଗଲ ଅଂଚଳରେ ପ୍ରାୟ ୧୦ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୁଲିସ ଠାବ କରି ନଷ୍ଟ କରିଛି। ଅଭିଯାନ ସମୟରେ ପ୍ରାୟ ୧୨ ହଜାରରୁ ଊର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବାବେଳେ, ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।
ଗଞ୍ଜେଇ ଚାଷ ଓ ଚୋରା କାରବାରକୁ ମୂଳରୁ ଦମନ କରିବା ପାଇଁ ପୁଲିସ ପକ୍ଷରୁ ଧରପଗଡ଼ ଓ ତଲାସି ଅଭିଯାନକୁ ବ୍ୟାପକ କରାଯାଇଛି।
ଏଥିସହ ଗଞ୍ଜେଇ ଚାଷ ସମ୍ପର୍କରେ ସୂଚନା ଲୁଚାଉଥିବା ସ୍ଥାନୀୟ ଅଞ୍ଚଳର ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ କୋରାପୁଟ ପୁଲିସ କଡ଼ା ଚେତାବନୀ ଦେଇଛି।
ଯେଉଁ ପଞ୍ଚାୟତ କିମ୍ବା ୱାର୍ଡରେ ବେଆଇନ ଗଞ୍ଜେଇ ଚାଷ ହେଉଥିବ, ସେ ସମ୍ପର୍କରେ ସରପଞ୍ଚ, ୱାର୍ଡ ସଭ୍ୟମାନେ ଓ ସରକାରୀ କର୍ମଚାରୀ ମାନେ ତୁରନ୍ତ ପୁଲିସକୁ ସୂଚନା ଦେବା ଆବଶ୍ୟକ। ଚାଷ ସମ୍ପର୍କରେ ଜାଣି ମଧ୍ୟ ନିରବ ରହିଲେ, ପରବର୍ତ୍ତୀ ସମୟରେ ପୁଲିସ ଯଦି ସେହି ଅଞ୍ଚଳରୁ ଗଞ୍ଜେଇ ଚାଷ ଠାବ କରେ, ତେବେ ସେମାନଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ହେବ।
ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସ୍ପି ରୋହିତ ବର୍ମା ଏହି ସୂଚନା ଦେଇଛନ୍ତି। ବେଆଇନ ଗଞ୍ଜେଇ ଚାଷ ଓ ଚୋରା କାରବାର ବିରୋଧରେ ପୁଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ନିରନ୍ତର ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

