ଗଞ୍ଜାମର ସମସ୍ତ ବିଦ୍ୟାଳୟ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ, ଘୋଷଣା କଲେ ଜିଲ୍ଲା ପ୍ରଶାସନ

ଛତ୍ରପୁର ( ପ୍ରତିଫଳନ ମିଡ଼ିଆ )

ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ (ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ) ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି ।ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନେ ନିୟମିତ ଭାବେ ନିଜ କର୍ତ୍ତବ୍ୟରେ ଯୋଗଦେବେ । ବୋର୍ଡ କିମ୍ବା ପରିଷଦ ଦ୍ୱାରା ନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ । ଆସନ୍ତା କାଲି ଗୁରୁତର ଭାବେ ସୃଷ୍ଟି ହୋଇଥିବା ଲଘୁଚାପ ଗୋପାଳପୁରଠାରୁ ଆନ୍ଧ୍ର ସମୁଦ୍ର କୂଳ ମଧ୍ୟରେ ଯେକୌଣସି ସ୍ଥାନରେ ସ୍ଥଳ ଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ସେହି କାରଣରୁ ପୂର୍ବରୁ ପ୍ରଶାସନ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ହେଡ଼ କ୍ୱାର୍ଟରରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଲଘୁଚାପ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି ।

Spread the love