କୋଟିଆରେ ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ!
ଆନ୍ଧ୍ରର ରାସନ ଚାଉଳ ଟ୍ରକ୍କୁ ସୀମାରେ ଅଟକାଇ ଫେରାଇଲା ଓଡ଼ିଶା ପୁଲିସ
କୋଟିଆରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆନ୍ଧ୍ରର ସକ୍ରିୟତା; କୋରାପୁଟ ପୁଲିସ ଓ ପ୍ରଶାସନର ଦୃଢ଼ ଆଭିମୁଖ୍ୟକୁ ସ୍ଥାନୀୟ ଓଡ଼ିଶା ସମର୍ଥକଙ୍କ ସମର୍ଥନ
କୋରାପୁଟ (ପ୍ରତିଫଳନ ମିଡ଼ିଆ )
ଓଡ଼ିଶାର ସୀମାନ୍ତ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ହସ୍ତକ୍ଷେପ ଓ ପଞ୍ଚାୟତ ନିର୍ବାଚନ କରାଇବା ଉଦ୍ୟମକୁ ରୋକିବା ପାଇଁ ଏଥର ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି ଓଡ଼ିଶା ପୁଲିସ ଓ ଜିଲ୍ଲା ପ୍ରଶାସନ। କୋଟିଆ ଅଞ୍ଚଳରେ ବାଣ୍ଟିବା ଉଦ୍ଦେଶ୍ୟରେ ଆନ୍ଧ୍ର ପକ୍ଷରୁ ଟ୍ରକ୍ରେ ଅଣାଯାଉଥିବା ସରକାରୀ ରାସନ ଚାଉଳକୁ ଓଡ଼ିଶା ସୀମାରେ ଅଟକାଇ ଫେରାଇ ଦିଆଯାଇଛି। ଏହାକୁ ଆନ୍ଧ୍ରର ପ୍ରଶାସନିକ ହସ୍ତକ୍ଷେପ ବିରୋଧରେ ଓଡ଼ିଶାର ଏକ ଦୃଢ଼ ପଦକ୍ଷେପ ଭାବେ ଦେଖାଯାଉଛି।

ସୂଚନା ଅନୁଯାୟ ଆନ୍ଧ୍ରପ୍ରଦେଶର ସାଲୁର MLC ପଏଣ୍ଟରୁ ଗଞ୍ଜାଇଭଦ୍ର ଗ୍ରାମକୁ ଯୋଗାଣ ହେବାକୁ ଥିବା ରାସନ ସାମଗ୍ରୀ ନେରେଡିୱାଲସା ରାସନ ଦୋକାନକୁ ନିଆଯାଉଥିବା ବେଳେ ନେରେଡିୱାଲସା ଚେକ୍ପୋଷ୍ଟ ନିକଟରେ କୋଟିଆ ଥାନା ପୁଲିସ ଓ ପଟାଙ୍ଗୀ ବ୍ଲକ ପ୍ରଶାସନ ଏହାକୁ ଅଟକାଇଥିଲେ। ଓଡ଼ିଶା ସୀମା ମଧ୍ୟକୁ ରାସନ ସାମଗ୍ରୀ ପ୍ରବେଶ କରାଇବାକୁ ଅନୁମତି ନଦେଇ ଟ୍ରକ୍କୁ ଫେରାଇ ଦିଆଯାଇଥିଲା। ଏହାକୁ ନେଇ ଉଭୟ ପକ୍ଷର ପୁଲିସ ଓ ରାଜସ୍ୱ କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଖବର ପାଇ ନେରେଡିୱାଲସା, ଧରଲା ଓ ତାଡ଼ିୱାଲସା ଗ୍ରାମର କିଛି ଆନ୍ଧ୍ର ସମର୍ଥକ ଲୋକେ ଘଟଣାସ୍ଥଳରେ ପହଞ୍ଚି ଓଡ଼ିଶା ପୁଲିସ ସହ ଯୁକ୍ତିତର୍କ କରିଥିଲେ। ତେବେ ଓଡ଼ିଶା ସମର୍ଥକ ସ୍ଥାନୀୟ ଲୋକେ କୋରାପୁଟ ପୁଲିସ ଓ ପ୍ରଶାସନର ପଦକ୍ଷେପକୁ ସମର୍ଥନ ଜଣାଇଥିଲେ।

ସ୍ଥାନୀୟ ସ୍ତରରେ ଉତ୍ତେଜନା ଓ ଯୁକ୍ତିତର୍କ ସତ୍ତ୍ୱେ ଓଡ଼ିଶା ପୁଲିସ ନିଜ ଆଭିମୁଖ୍ୟରେ ଅଟଳ ରହିଥିଲା। ଶେଷରେ ଆନ୍ଧ୍ର ପକ୍ଷରୁ ଆସିଥିବା ରାସନ ଗାଡ଼ି ଫେରିଯାଇଥିବା ଜଣାପଡ଼ିଛି। ଘଟଣା ପରେ କୋଟିଆ ସୀମାନ୍ତ ଅଞ୍ଚଳରେ ଓଡ଼ିଶା ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି। କୋଟିଆରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତି ଓ ସାର୍ବଭୌମତ୍ୱକୁ ଅକ୍ଷୁଣ୍ଣ ରଖିବା ଦିଗରେ ରାଜ୍ୟ ପୁଲିସ ଓ ପ୍ରଶାସନର ଏହି ଦୃଢ଼ ପଦକ୍ଷେପ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି।
