ଅର୍ଣ୍ଣବ ବନ୍ୟା ବିପର୍ଯ୍ୟୟ ପାଇଁ ବିଜେଡିର ୨୪ ବର୍ଷର ଜଳସମ୍ପଦ ପରିଚାଳନା ବିଫଳତାକୁ ଦାୟୀ କଲା :ବିଜେପି
ଭୁବନେଶ୍ୱର,ପ୍ରତିଫଳନ ମିଡ଼ିଆ
ଅର୍ଣ୍ଣବରେ ୭ରୁ ୮ ଘଣ୍ଟାରେ ୫୦୦ ମିମିରୁ ଅଧିକ ବର୍ଷା ହେବା ଓ ନବୀନ ସରକାର ଅମଳରେ ବୃହତ୍ ଜଳଭଣ୍ଡାର ନିର୍ମାଣ ହୋଇନଥିବା ଅଭିଯୋଗ, ମୋହନ ସରକାରଙ୍କ ବ୍ୟାପକ ସହାୟତା ଘୋଷଣା।
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ବିପର୍ଯ୍ୟୟ ପାଇଁ ଅତ୍ୟଧିକ ବୃଷ୍ଟିପାତ ସହ ପୂର୍ବତନ ନବୀନ ସରକାରଙ୍କ ୨୪ ବର୍ଷର ଜଳସମ୍ପଦ ପରିଚାଳନାରେ ଅବହେଳା ଓ ଦୂରଦୃଷ୍ଟିର ଅଭାବ ଦାୟୀ ବୋଲି ଅଭିଯୋଗ କରିଛି ବିଜେପି। ଅନ୍ୟପକ୍ଷରେ ବିପର୍ଯ୍ୟୟର ମୁକାବିଲା, ଉଦ୍ଧାର, ପୁନରୁଦ୍ଧାର ଓ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନରେ ମୋହନ ମାଝୀ ସରକାର ତ୍ୱରିତ ପଦକ୍ଷେପ ନେଇଥିବା ଦଳ ପକ୍ଷରୁ କୁହାଯାଇଛି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଏହି ଅଭିଯୋଗ ଆଣିଛନ୍ତି।
ତ୍ରିପାଠୀ ଙ୍କ କହିବାନୁଯାୟୀ, ୧୯୯୦ର ବାତ୍ୟା, ୧୯୯୯ର ମହାବାତ୍ୟା ଓ ୨୦୧୮ର ତିତିଲି ତୁଳନାରେ ଅର୍ଣ୍ଣବ ସମୟରେ ଅଭୂତପୂର୍ବ ବୃଷ୍ଟିପାତ ହୋଇଛି। ସାଧାରଣତଃ ଅକ୍ଟୋବରରେ ହାରାହାରି ୧୯୦ ମିମି ବର୍ଷା ହେଉଥିବାବେଳେ ଚଳିତ ବର୍ଷ ଏହା ୪୦୦ ମିମିରୁ ଅଧିକ ହୋଇଛି। ଅକ୍ଟୋବର ୨୮ରୁ ୩୦ ମଧ୍ୟରେ ଗଞ୍ଜାମରେ ୫୦୦ ମିମିରୁ ଅଧିକ ବର୍ଷା ହୋଇଥିବାବେଳେ ମାତ୍ର ୭ରୁ ୮ ଘଣ୍ଟାରେ ଏଭଳି ବର୍ଷା ପୂର୍ବରୁ ଦେଖାଯାଇନଥିଲା।
ତାଙ୍କ ଅଭିଯୋଗ ଅନୁସାରେ, ଋଷିକୁଲ୍ୟା, ବାହୁଦା, ବଂଶଧାରା, ନାଗାବଳୀ ଓ ଅନ୍ୟ ନଦୀ ଅବବାହିକାରେ ଥିବା ଅଧିକାଂଶ କ୍ଷୁଦ୍ର ଓ ମଧ୍ୟମ ଜଳଭଣ୍ଡାର ବନ୍ୟା ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ନୁହେଁ। ଭଞ୍ଜନଗରକୁ ଛାଡ଼ି ଅଧିକାଂଶ ଜଳଭଣ୍ଡାରରେ ଜଳ ନିଷ୍କାସନ ନିୟନ୍ତ୍ରଣ ପାଇଁ ଗେଟ୍ ବ୍ୟବସ୍ଥା ନାହିଁ। ୧୯୯୬ରୁ ପ୍ରସ୍ତାବିତ ପିପଳପଙ୍କା ଜଳଭଣ୍ଡାର ନିର୍ମାଣ ହୋଇନଥିବାରୁ ସୋରଡ଼ା ଓ ଶେରଗଡ଼ ଅଞ୍ଚଳ ବନ୍ୟା ନିୟନ୍ତ୍ରଣର ସମ୍ଭାବ୍ୟ ସୁବିଧାରୁ ବଞ୍ଚିତ ହୋଇଥିବା ସେ କହିଛନ୍ତି। ପୁରୁଣା ନଦୀବନ୍ଧ ଓ ଜଳଭଣ୍ଡାରର ରକ୍ଷଣାବେକ୍ଷଣରେ ମଧ୍ୟ ପୂର୍ବ ସରକାର ବିଫଳ ହୋଇଥିବା ତାଙ୍କ ଅଭିଯୋଗ।
ଅନ୍ୟପକ୍ଷରେ, ବର୍ତ୍ତମାନର ସରକାର ଧନେଇ ଜଳଭଣ୍ଡାରରେ ସ୍ୱୟଂଚାଳିତ ଗେଟ୍ ସ୍ଥାପନ ସହ ଅନ୍ୟ ଜଳଭଣ୍ଡାର ଓ ନଦୀବନ୍ଧର ରକ୍ଷଣାବେକ୍ଷଣ କାମ ଆରମ୍ଭ କରିଥିବା ସେ ଦର୍ଶାଇଛନ୍ତି। ଅକ୍ଟୋବର ୨୮ ପୂର୍ବରୁ ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର ୬୭.୯୫ରୁ ୬୨.୫୭ ପ୍ରତିଶତ, ହରଭଙ୍ଗୀର ୭୯.୦୯ରୁ ୭୨.୮୧ ପ୍ରତିଶତ ଓ ସୋରଡ଼ାର ୯୨.୧୧ରୁ ୮୬.୩୪ ପ୍ରତିଶତକୁ ହ୍ରାସ କରାଯାଇଥିଲା। ବାହୁଦା, ବାଘଲଟି, ଦହ, ଧନେଇ ଓ ଘଟକେଶ୍ୱରରେ ମଧ୍ୟ ଜଳସ୍ତର କମାଯାଇଥିବା ସେ କହିଛନ୍ତି।
ବାତ୍ୟା ପୂର୍ବ ପ୍ରସ୍ତୁତିଠାରୁ ଆରମ୍ଭ କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସରକାର ସକ୍ରିୟ ଥିବା ଦାବି କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ନିୟନ୍ତ୍ରଣ କକ୍ଷରୁ ସ୍ଥିତି ନିରୀକ୍ଷଣ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ମନ୍ତ୍ରୀମାନେ ପ୍ରଭାବିତ ଜିଲ୍ଲା ଗସ୍ତ କରିଥିଲେ। ଏସ୍ଡିଆର୍ଏଫ୍, ଏନ୍ଡିଆର୍ଏଫ୍ ଓ ଅନ୍ୟ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କ୍ଷତିଗ୍ରସ୍ତ ରାସ୍ତାର ଯୋଗାଯୋଗ ମଧ୍ୟ ଶୀଘ୍ର ପୁନଃସ୍ଥାପନ କରାଯାଇଥିବା ସେ କହିଛନ୍ତି।
ସରକାରଙ୍କ ଘୋଷିତ ସହାୟତା ପ୍ୟାକେଜ୍ରେ ପ୍ରଭାବିତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ଓ ୨,୫୦୦ ଟଙ୍କା, ଘର ସମ୍ପୂର୍ଣ୍ଣ ବା ଗୁରୁତର କ୍ଷତିଗ୍ରସ୍ତ ହେଲେ ସମତଳ ଅଞ୍ଚଳରେ ୧.୨୦ ଲକ୍ଷ ଓ ପାହାଡ଼ିଆ ଅଞ୍ଚଳରେ ୧.୩୦ ଲକ୍ଷ ଟଙ୍କା ସହାୟତା ରହିଛି। ଚାଷୀଙ୍କୁ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦, ଜଳସେଚିତ ଜମି ପାଇଁ ୧୭,୦୦୦ ଓ ବାରମାସୀ ଫସଲ ପାଇଁ ୨୨,୫୦୦ ଟଙ୍କା ଦିଆଯିବ। ବାଲି ଓ ପଟୁ ହଟାଇବା ପାଇଁ ୧୮,୦୦୦ ଟଙ୍କା, ଆଖୁ ଚାଷ ପାଇଁ ୨୭,୫୦୦ ଟଙ୍କା ଏବଂ ମୋଟ ୧.୭୫ ଲକ୍ଷ ବିହନ କିଟ୍ ଯୋଗାଣର ବ୍ୟବସ୍ଥା ହୋଇଛି। ପଶୁସମ୍ପଦ, ମତ୍ସ୍ୟଚାଷ, କ୍ଷୁଦ୍ର ବ୍ୟବସାୟୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ବୁଣାକାର ଓ କାରିଗରଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସହାୟତା ଘୋଷଣା ହୋଇଛି ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗଞ୍ଜାମ, ଗଜପତି ଓ କନ୍ଧମାଳରେ କେନ୍ଦ୍ରୀୟ ଆନ୍ତଃମନ୍ତ୍ରାଳୟ କମିଟି କ୍ଷୟକ୍ଷତି ଆକଳନ କରୁଛି। ଏହି ସମୟରେ ରାଜ୍ୟ ସରକାରଙ୍କ ସହାୟତା ଓ ପୁନରୁଦ୍ଧାର ପଦକ୍ଷେପ ଜାରି ରହିଥିବା ବିଜେପି ପକ୍ଷରୁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ।
