ଛତ୍ରପୁର ( ପ୍ରତିଫଳନ ମିଡ଼ିଆ )
“ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର” ବାର୍ତ୍ତା ନେଇ ଗୋପାଳପୁର ବେଳାଭୂମିରେ ଆନ୍ତର୍ଜାତୀୟ ସମୁଦ୍ରତଟ ସଫେଇ ଦିବସ-୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ବେଳାଭୂମିରେ ବ୍ୟାପକ ସଫେଇ ଅଭିଯାନ ସହ ସମୁଦ୍ର ଓ ପରିବେଶ ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି କରାଯାଇଥିଲା ।
ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବ୍ରହ୍ମପୁର ଜୋନାଲ କାର୍ଯ୍ୟାଳୟ ପକ୍ଷରୁ ଏହି ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବେଳାଭୂମିକୁ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ବର୍ଜ୍ୟମୁକ୍ତ ରଖିବା ସହ ସାମୁଦ୍ରିକ ପରିବେଶର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଥିଲା ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବ୍ରହ୍ମପୁର ଜୋନାଲ କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ଦୀପକ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ନିଜେ ସଫେଇ କରିବା ସହ ସମୁଦ୍ରତଟ ସୁରକ୍ଷା ଓ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ଗୋପାଳପୁରର ଐତିହ୍ୟ, ପର୍ଯ୍ୟଟନ ଗୁରୁତ୍ୱ ଓ ବେଳାଭୂମିର ଗାରିମାକୁ ଅକ୍ଷୁଣ୍ଣ ରଖିବା ପାଇଁ ସମୁଦ୍ରତଟ ସୁରକ୍ଷାରେ ସମସ୍ତେ ସାମିଲ ହେବା ଆବଶ୍ୟକ ବୋଲି ସେ କହିଥିଲେ । ମନ୍ତ୍ରୀ କହିଥିଲେ ଯେ ଆମ ଭିତରୁ ମଧ୍ୟ ଆଫରୋଜ ଶାହାଙ୍କ ଭଳି ପରିବେଶପ୍ରେମୀ ବାହାରିବା ଦରକାର । ୨୦୧୫ ମସିହାରେ ଆଫରୋଜ ଶାହା ନିଜେ ସମୁଦ୍ରତଟ ସଫେଇ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହା ଏକ ବଡ଼ ଜନଆନ୍ଦୋଳନର ରୂପ ନେଇଥିଲା । ଏଭଳି ପରିବେଶପ୍ରେମୀଙ୍କ ଉଦାହରଣରୁ ପ୍ରେରଣା ନେଇ ନିଜ ଅଞ୍ଚଳର ସମୁଦ୍ରତଟକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବାକୁ ସେ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଭିସି, ଗୋପାଳପୁର ଏନଏସି ଇଓ, ଗୋପାଳପୁର କଲେଜ ଅଧ୍ୟକ୍ଷଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର କର୍ମଚାରୀ, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ସାଗର ବନ୍ଧୁ ଓ ସ୍ଥାନୀୟ ଲୋକେ ଯୋଗଦେଇଥିଲେ । ସମସ୍ତେ ମିଳିତ ଭାବେ ଝାଡୁ ଧରି ବେଳାଭୂମି ସଫେଇ କରିବା ସହ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ବର୍ଜ୍ୟ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମରେ “ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର” ଓ “ସବୁଜ ସାଗର”ର ବାର୍ତ୍ତା ଦିଆଯାଇଥିଲା । ସମୁଦ୍ରତଟ ସଫେଇ ଓ ସୁରକ୍ଷାକୁ କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ନକରି ନିୟମିତ ଭାବେ ଜାରି ରଖିବା ପାଇଁ ଶପଥ ପାଠ କରାଯାଇଥିଲା । ଏଥିସହ ବକ୍ସିପଲ୍ଲୀଠାରୁ ହରିପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଅକ୍ଟୋବର ୧୫ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବା ଜଣାପଡ଼ିଛି । ସମୁଦ୍ରତଟର ସ୍ୱଚ୍ଛତା, ସୁରକ୍ଷା ଓ ପର୍ଯ୍ୟଟନ ବିକାଶକୁ ଏକାସାଙ୍ଗରେ ଆଗେଇ ନେବା ପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।

