୨୪୯ ଦିନ ଧରି ହାତଲେଖା କବିତା ଅପଲୋଡ୍, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କିଶୋର କୁମାର

ରାୟଗଡ଼( ପ୍ରତିଫଳନ ମିଡ଼ିଆ )

ରାୟଗଡ ସହରର ଇନ୍ଦିରା ନଗର ଦ୍ଵିତୀୟ ଗଳିରେ ବସବାସ କରୁଥିବା କିଶୋର କୁମାର ପଟ୍ଟନାୟକ ଏକ ବିରଳ କୃତିତ୍ୱ ଅର୍ଜନ କରି ରାୟଗଡ ପାଇଁ ଗୌରବ ଆଣିଛନ୍ତି । ନିଜ ହାତଲେଖା ହିନ୍ଦୀ କବିତାଗୁଡ଼ିକୁ ନିଜର ୟୁଟ୍ୟୁବ୍ ଚ୍ୟାନେଲ “କବି କଭି କଭି ‘ରେ ପ୍ରତ୍ୟେକ ଦିନ ବିନା ବିରତିରେ ୨୪୯ ଦିନ ଧରି ଅପଲୋଡ୍ କରି ସେ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ’ରେ ନିଜର ଏକ ସ୍ଥାନ ସୃଷ୍ଟି କରିଛନ୍ତି । 

ଏହି ବିରଳ କୃତିତ୍ବ ପାଇଁ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ’ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ଏକ ପ୍ରମାଣପତ୍ର, ମେଡାଲ, ବ୍ୟାଜ୍ ଓ ପରିଚୟପତ୍ର ପ୍ରଦାନ କରାଯାଇଛି । ନିଜର ସୃଜନଶୀଳ ପ୍ରତିଭା ଓ ନିରନ୍ତର ପ୍ରୟାସ ଦ୍ବାରା ସେ ରାୟଗଡ ମାଟିର ନାମକୁ ଗୌରବାନ୍ବିତ କରିଛନ୍ତି I ଏହି ସଫଳତା ପାଇଁ ଖୁସି ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାୟଗଡ ମାଟିର ଜଣେ ବ୍ୟକ୍ତି ଭାବେ ଏଭଳି କୃତିତ୍ବ ଅର୍ଜନ କରିପାରିଥିବାରୁ ସେ ମା’ ମଝିଘରିଆଣୀଙ୍କ ନିକଟରେ ଏବଂ ସମସ୍ତ ରାୟଗଡବାସୀଙ୍କ ପାଖରେ ଚିରଋଣୀ | ତାଙ୍କର ଏହି ସଫଳତା ରାୟଗଡର ସାହିତ୍ୟ ଓ ସୃଜନଶୀଳ ପ୍ରତିଭା ପାଇଁ ଏକ ଗର୍ବର ବିଷୟ ପାଲଟିଛି ।

ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ରାୟଗଡ଼ ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ ଏହି ବିରଳ ସଫଳତା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣେଇଛନ୍ତି।

Spread the love