ରାୟଗଡ଼ା ( ପ୍ରତିଫଳନ ମିଡ଼ିଆ )
ସ୍ଥାନୀୟ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡ଼ାରେ କୋରାପୁଟ କ୍ଲଷ୍ଟରର ପ୍ରଥମ ତ୍ରୈମାସିକ ନିପୁଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜା ରାମଙ୍କ ପୌରହିତ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା। କୋରାପୁଟ କ୍ଲଷ୍ଟର ଅଧୀନସ୍ଥ ମୋଟ ୮ଟି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବରିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବୈଠକରେ ଯୋଗଦାନ କରିଥିଲେ।
ପ୍ରାରମ୍ଭରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡ଼ାର ପ୍ରଧାନ ଶିକ୍ଷକ ଶ୍ରୀ ଆନନ୍ଦ ନାଗ ନିପୁଣ ବୈଠକର ବିବରଣୀ ଏବଂ ଏହାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଶିଶୁମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତା ବିକାଶ କରିବା ଏବଂ ନିର୍ଦ୍ଧାରିତ ନିପୁଣ ଲକ୍ଷ୍ୟ ହାସଲ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।
ବୈଠକରେ ଶିଶୁମାନଙ୍କର ପଢ଼ିବା, ଲେଖିବା ଓ ଗଣିତୀୟ ଦକ୍ଷତାର ପ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ସ୍ତର, ନିୟମିତ ମୂଲ୍ୟାଙ୍କନର ଫଳାଫଳ ଏବଂ ଶିକ୍ଷଣ ପ୍ରଗତି ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ମତବିନିମୟ ହୋଇଥିଲା। ପାଠ ପଢ଼ାରେ ଦୁର୍ବଳ ଶିକ୍ଷାର୍ଥୀମାନଙ୍କ ପାଇଁ ସହାୟକ ଶିକ୍ଷଣ ଓ ପୁନଃଶିକ୍ଷଣ ମାଧ୍ୟମରେ ସେମାନଙ୍କ ଶିକ୍ଷଣ ସ୍ତରରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ଗୁଣପୁରର ଅଧ୍ୟକ୍ଷ ଶ୍ରୀ ସୌରଭ ଜେନ, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ବାଡ଼ାନା ଏବଂ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡ଼ାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ସୁଶ୍ରୀ ସୁନିତା ସାହୁ ସମ୍ବଳ ବ୍ୟକ୍ତି ଭାବେ ଯୋଗଦାନ କରିଥିଲେ। ସେମାନେ ନିପୁଣ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ଶିକ୍ଷଣ ପଦ୍ଧତି, ଶିକ୍ଷାର୍ଥୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ଶିଶୁକେନ୍ଦ୍ରିକ ଶିକ୍ଷଣ ପରିବେଶ ସମ୍ପର୍କରେ ଆଲୋଚନା କରିଥିଲେ।
ଅତିଥି ବକ୍ତା ଭାବେ ରାୟଗଡ଼ାର ଏଲ୍ପିଏସ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଡକ୍ଟର ରୁବି କୁଣ୍ଡୁ ଯୋଗଦାନ କରିଥିଲେ। ସେ ନିପୁଣ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ଶିକ୍ଷଣ କୌଶଳ ଓ ପଦ୍ଧତି ଉପରେ ଏକ ବିଶେଷ ଅଧିବେଶନ ପରିଚାଳନା କରିଥିଲେ। ଶିଶୁମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ବିକାଶ ପାଇଁ କାର୍ଯ୍ୟଭିତ୍ତିକ, ଅନୁଭବଭିତ୍ତିକ ଓ ଶିଶୁକେନ୍ଦ୍ରିକ ଶିକ୍ଷଣ କୌଶଳର ପ୍ରୟୋଗ ଉପରେ ସେ ଆଲୋକପାତ କରିଥିଲେ।
ବୈଠକରେ କୋରାପୁଟ କ୍ଲଷ୍ଟର ଅଧୀନସ୍ଥ ମୋଟ ୮ଟି ବିଦ୍ୟାଳୟର ପ୍ରତିନିଧିମାନେ ଯୋଗଦାନ କରି ନିଜ ନିଜ ବିଦ୍ୟାଳୟର ନିପୁଣ କାର୍ଯ୍ୟକ୍ରମର ପ୍ରଗତି, ଅନୁଭବ ଓ ଶିକ୍ଷଣ କୌଶଳ ସମ୍ପର୍କରେ ମତବିନିମୟ କରିଥିଲେ। ନିପୁଣ ଲକ୍ଷ୍ୟ ପୂରଣ ପାଇଁ ସମସ୍ତ ବିଦ୍ୟାଳୟର ସମନ୍ୱିତ ପ୍ରୟାସ, ଅଭିନବ ଶିକ୍ଷଣ ପଦ୍ଧତି ଏବଂ ଶିଶୁକେନ୍ଦ୍ରିକ ଶିକ୍ଷଣ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ବୈଠକର ମଞ୍ଚ ପରିଚାଳନା ଶ୍ରୀ ଅବିନାଶ ମଣ୍ଡଳ ଓ ଶ୍ରୀ ସେତାୟା ପଧାନଙ୍କ ଦ୍ୱାରା ସୁଚାରୁରୂପେ କରାଯାଇଥିଲା। ଶେଷରେ ଶ୍ରୀ ସେତାୟା ପଧାନ ଉପସ୍ଥିତ ସମସ୍ତ ଅତିଥି, ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ, ବରିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

