ପ୍ରତିଫଳନ ମିଡ଼ିଆ
ରାୟଗଡ଼, ୨୧/୦୯: ରାୟଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ଶେଷ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ନୂତନ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଥିଲା।
ଚୂଡ଼ାନ୍ତ ତାଲିକା ଅନୁଯାୟୀ ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୬,୭୧,୩୭୮ ଜଣ ଭୋଟର ଅଛନ୍ତି। SIR ପୂର୍ବରୁ ଏହି ସଂଖ୍ୟା ୭,୧୪,୭୦୦ ଥିବାବେଳେ ଡ୍ରାଫ୍ଟ ତାଲିକାରେ ଏହା ୬,୬୯,୨୦୭ ରହିଥିଲା।
ବିଧାନସଭା ଅନୁଯାୟୀ ଭୋଟର ସଂଖ୍ୟା
୧୩୮-ଗୁଣପୁର: ୨,୦୭,୮୬୧
୧୩୯-ବିଷମକଟକ: ୨,୨୦,୯୫୦
୧୪୦-ରାୟଗଡ଼: ୨,୪୨,୫୬୭
ଜିଲ୍ଲା ମୋଟ: ୬,୭୧,୩୭୮
ଚୂଡ଼ାନ୍ତ ତାଲିକାରେ ୩,୧୭,୯୫୮ ପୁରୁଷ, ୩,୫୩,୨୫୨ ମହିଳା ଓ ୧୬୮ ତୃତୀୟ ଲିଙ୍ଗର ଭୋଟର ରହିଛନ୍ତି। ଜିଲ୍ଲାର ଲିଙ୍ଗ ଅନୁପାତ ୧୧୧୧ ରହିଛି। ଏଥିରେ ୧୮-୧୯ ବର୍ଷର ୫,୨୨୫ ଯୁବ ଭୋଟର, ୧୪,୭୧୯ ଦିବ୍ୟାଙ୍ଗ ଭୋଟର, ୨୨୮ ସର୍ଭିସ୍ ଭୋଟର ଓ ୮୫ ବର୍ଷରୁ ଊର୍ଦ୍ଧ୍ୱ ୨,୨୦୮ ବରିଷ୍ଠ ଭୋଟର ଅଛନ୍ତି। ଏହାସହ ବିଦେଶରେ ରହୁଥିବା ୨ ଜଣ NRI ଭୋଟର ମଧ୍ୟ ତାଲିକାରେ ସ୍ଥାନ ପାଇଛନ୍ତି।
SIR ପ୍ରକ୍ରିୟା ସମୟରେ ସ୍ଥାନାନ୍ତରଣ ଓ ଆବଶ୍ୟକ ଦଲିଲ ଉପଲବ୍ଧ ନଥିବା ସମ୍ପର୍କିତ ମାମଲାରେ ୧,୪୭,୩୬୭ ଜଣ ଭୋଟରଙ୍କୁ ଶୁଣାଣୀ ପାଇଁ ନୋଟିସ୍ ଜାରି ହୋଇଥିଲା। ନିର୍ଦ୍ଧାରିତ ପ୍ରକ୍ରିୟା ଓ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ମାମଲା ଗୁଡ଼ିକର ଯାଞ୍ଚ ଓ ଶୁଣାଣୀ କରାଯାଇଥିଲା। SIR ସମୟରେ Form-6, Form-6A ଓ Form-8 ମାଧ୍ୟମରେ ୨,୫୩୭ ଜଣଙ୍କ ନାମ ଯୋଗ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ୩୬୬ ଜଣଙ୍କ ନାମ ବିୟୋଜନ କରାଯାଇଥିବାବେଳେ ୫୪ ଜଣଙ୍କୁ ଅଯୋଗ୍ୟ ଭୋଟର ଭାବେ ଚିହ୍ନଟ କରାଯାଇଛି। ଅଯୋଗ୍ୟ ଭୋଟରଙ୍କ ମଧ୍ୟରେ ଗୁଣପୁରରେ ୧୮, ବିଷମକଟକରେ ୫ ଓ ରାୟଗଡ଼ରେ ୩୧ ଜଣ ରହିଛନ୍ତି।
ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସୂଚନା ଅନୁଯାୟୀ SIR ପ୍ରକ୍ରିୟା ସମୟରେ ଜିଲ୍ଲାରେ କୌଣସି ବଡ଼ଧରଣର ସମସ୍ୟା ସାମ୍ନାକୁ ଆସିନାହିଁ। ଭୋଟର ତାଲିକା ଏକ ନିରନ୍ତର ସଂଶୋଧନ ପ୍ରକ୍ରିୟା ହୋଇଥିବାରୁ ନିୟମିତ ସଂଶୋଧନ ପାଇଁ ସର୍ବଦା ଖୋଲା ରହିଥାଏ। ଭୋଟରମାନେ ନିଜ ନାମ ଓ ବିବରଣୀ ଯାଞ୍ଚ କରି ଆବଶ୍ୟକ ସ୍ଥଳେ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ନାମ ଯୋଗ କିମ୍ବା ବିବରଣୀ ସଂଶୋଧନ କରିପାରିବେ। ECI ମଧ୍ୟ ଚୂଡ଼ାନ୍ତ ପ୍ରକାଶ ପରେ ଭୋଟର ତାଲିକାର ନିରନ୍ତର ଅଦ୍ୟତନ ବ୍ୟବସ୍ଥା ରହିଥିବା ସ୍ପଷ୍ଟ କରିଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ଗୁଣପୁର ଉପଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲୀପ, ରାୟଗଡ଼ ଉପଜିଲ୍ଲାପାଳ ମୃଣାଳିକା ରାଠୋର, ନିର୍ବାଚନ ଡେପୁଟି କଲେକ୍ଟର ମାନୁଏଲା ପ୍ରିୟଦର୍ଶିନୀ, ନିର୍ବାଚନ ସହକାରୀ କଲେକ୍ଟର ବିଚିତ୍ରା ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରିଙ୍କ ସମେତ ବିଭିନ୍ନ ଅଧିକୃତ ରାଜନୈତିକ ଦଳର ଜିଲ୍ଲାସ୍ତରୀୟ ପ୍ରତିନିଧି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ବୈଠକ ଶେଷରେ ଚୂଡ଼ାନ୍ତ ଭୋଟର ତାଲିକାର ନକଲ ସମ୍ପୃକ୍ତ ରାଜନୈତିକ ଦଳଗୁଡ଼ିକୁ ପ୍ରଦାନ କରାଯାଇଥିଲା ବୋଲି ଜିଲ୍ଲା ପ୍ର ଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


