ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ: ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର (ପ୍ରତିଫଳନ ମିଡ଼ିଆ )
ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ଆଭାସୀ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ପ୍ରସ୍ତୁତି ଓ ପରିସ୍ଥିତି ସମ୍ପର୍କରେ ଅବଗତ କରିଥିଲେ।
ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୩ ତାରିଖରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ ରହିବ। କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ସମୟରେ ଯାତ୍ରୀ ଓ ଯାନବାହନ ଚାଳକମାନେ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଭାରତୀୟ ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁଯାୟୀ ୨୩ ତାରିଖରେ ଗଞ୍ଜାମରେ ପ୍ରବଳ ବର୍ଷା ଏବଂ ୨୨ ଓ ୨୪ ତାରିଖରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଡଙ୍ଗା ଓ ବୋଟ ନନେବାକୁ ପରାମର୍ଶ ଦିଆଯାଇଥିବା ବେଳେ ତହସିଲଦାରମାନଙ୍କୁ ଏହାର ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାର ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ୧ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଭଞ୍ଜନଗର ଏବଂ ଚିକିଟି-ପାତ୍ରପୁର ଅଞ୍ଚଳରେ ୨ଟି ସ୍ୱତନ୍ତ୍ର ଓଡ୍ରାଫ୍ ଦଳ ନିୟୋଜିତ ରହିବେ। ଗର୍ଭବତୀ ମହିଳାଙ୍କୁ ଆବଶ୍ୟକତା ଅନୁଯାୟୀ ସୁରକ୍ଷିତ ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତରଣ ଏବଂ ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାର ସମସ୍ତ ବିଭାଗ ଓ ଅଧିକାରୀଙ୍କୁ ସଜାଗ ରଖାଯାଇଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟର ସମେତ ସମସ୍ତ ତହସିଲ, ବ୍ଲକ୍ ଓ ସହରାଞ୍ଚଳରେ ୨୪×୭ ନିୟନ୍ତ୍ରଣ ବ୍ୟବସ୍ଥା ସକ୍ରିୟ ରହିଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟର ହେଲ୍ପଲାଇନ୍ ନମ୍ବର ୦୬୮୧୧-୨୬୩୯୭୮ରେ ଆବଶ୍ୟକ ସମୟରେ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ କୁହାଯାଇଛି।
ବଜ୍ରପାତ ସମୟରେ ଘର ଭିତରେ ରହିବା, ବିଦ୍ୟୁତ୍ ଉପକରଣ ଓ ତାରଠାରୁ ଦୂରେଇ ରହିବା ସହ ଗଛତଳେ, ଖୋଲା ପଡ଼ିଆ କିମ୍ବା ଜଳାଶୟ ନିକଟରେ ଆଶ୍ରୟ ନନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ଆଇ ଏ ଏସ ଶିକ୍ଷାନବିସ ଏସ ସରନ୍ୟା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁନୀଲ ସାଇ ଦେବାଶିଷ ପ୍ରମୁଖ ଉପସ୍ଥିତ ଥିଲେ ।

