ପ୍ରତିଫଳନ ମିଡ଼ିଆ
ସାଲେପୁର: ମଧୁମାଟି ସାଲେପୁରରେ ଅନୁଷ୍ଠିତ ପଞ୍ଚମ ସାଲେପୁର ସାହିତ୍ୟ ମହୋତ୍ସବ–୨୦୨୬ ଉଦ୍ଯାପିତ ହୋଇଛି। ମହୋତ୍ସବରେ ଆଧ୍ୟାତ୍ମିକତା, ସାହିତ୍ୟ ଓ ସଂସ୍କୃତିର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା।ବରପୁତ୍ର ଭବନ ପରିସରରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବରପୁତ୍ରମାନଙ୍କ ଜନ୍ମଭୂମିରୁ ସଂଗୃହୀତ ପବିତ୍ର ମାଟିକୁ ନାମକୀର୍ତ୍ତନ ସହ ସହର ପରିକ୍ରମା କରାଯାଇ ମହୋତ୍ସବ ମଣ୍ଡପରେ ସ୍ଥାପନ କରାଯାଇଥିଲା।
ଏହି ଅବସରରେ ସଂକୀର୍ତ୍ତନ ମହାସଂଘ, ଓଡ଼ିଶାକୁ ‘ଦ୍ୱିତୀୟ ଶ୍ରୀଚୈତନ୍ୟ କୀର୍ତ୍ତନଗୁରୁ ନାମାଚାର୍ଯ୍ୟ ଯଦୁମଣି ସ୍ୱାଇଁ ସ୍ମାରକୀ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସମ୍ମାନ’ ଏବଂ ଇଂ. ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ‘ମହାପୁରୁଷ ଅଚ୍ୟୁତାନନ୍ଦ ଚେତନା ସ୍ମାରକୀ’ ସମ୍ମାନ ପ୍ରଦାନ କରାଯାଇଥିଲା।
ସାରସ୍ୱତ ସଭାରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଓ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇଥିଲେ। ୫୦ରୁ ଊର୍ଦ୍ଧ୍ୱ କବି-କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ଏଥିସହ ସାମ୍ବାଦିକ, ସାହିତ୍ୟିକ, ସମାଜସେବୀ, କଳାକାର ଓ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

